‘ଚିଫ୍ ଅଫ୍ ଷ୍ଟାଫ୍ କମିଟି’ର ଚେୟାରମ୍ୟାନ୍ ଦାୟିତ୍ବ ଗ୍ରହଣ କଲେ ଜେନେରାଲ୍ ଏମ୍ଏମ୍ ନରୱନେ

ସ୍ଥଳ ସେନା ପ୍ରମୁଖ ଜେନେରାଲ୍ ଏମ୍ଏମ୍ ନରୱନେ ‘ଚିଫ୍ ଅଫ୍ ଷ୍ଟାଫ୍ କମିଟି’ର ଚେୟାରମ୍ୟାନ୍ ଦାୟିତ୍ବ ଗ୍ରହଣ କରିଛନ୍ତି । ଡିସେମ୍ବର 8 ତାରିଖରେ ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ମୃତ୍ୟୁ ପରେ ଏହି ପଦବୀ ଖାଲି ଥିଲା ।
ସୂତ୍ରରୁ ପ୍ରକାଶ ଯେ ଜେନେରାଲ ନରୱନେ ତିନି ସେନା ମୁଖ୍ୟଙ୍କ ମଧ୍ୟରୁ ବରିଷ୍ଠ ହୋଇଥିବାରୁ ତାଙ୍କୁ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ସିଡିଏସ୍ ପଦ ପୂର୍ବରୁ, ସାଧାରଣତଃ ତିନି ସେନାର ମୁଖ୍ୟଙ୍କ ମଧ୍ୟରୁ ବରିଷ୍ଠ ଅଧିକାରୀଙ୍କୁ ‘ଚିଫ୍ ଅଫ୍ ଷ୍ଟାଫ୍ କମିଟି’ ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥାଏ । ତେବେ ସିଡିଏସ୍ ହେଉଛନ୍ତି ଫୋର୍ ଷ୍ଟାର୍ ସାମରିକ ଅଧିକାରୀ, ଯିଏକି ଭାରତୀୟ ସଶସ୍ତ୍ର ବାହିନୀର ଅଧିକାରୀଙ୍କ ମଧ୍ୟରୁ ମନୋନୀତ ହୋଇଥାଆନ୍ତି । ଶକ୍ତିଶାଳୀ ‘ଚିଫ୍ ଅଫ୍ ଷ୍ଟାଫ୍ କମିଟି’ର ଚେୟାରମ୍ୟାନ୍ ହେଉଛନ୍ତି ସିଡିଏସ୍, ଯେଉଁଥିରେ ତିନି ସେନା ପ୍ରମୁଖ ସାମିଲ ହୋଇଥାଆନ୍ତି । ଜେନେରାଲ ନରୱନେ, 2019 ଡିସେମ୍ବର 31ରେ ଦିବଙ୍ଗତ ଜେନେରାଲ ରାୱତଙ୍କଠାରୁ ସେନାବାହିନୀର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।