ବିଷ ପିଇ ପ୍ରାଣ ହାରିଲେ ଭାଗଚାଷୀ

ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଚାଷୀ ପାଇଁ ଦୁଃଖ ଆଣିଦେଇଛି। ଏଭଳି ପରିସ୍ଥିତିରେ ଧାନ ଓ ପନିପରିବା କ୍ଷତି ସହି ନପାରି ପାତ୍ରପୁର ବ୍ଲକ୍ ଇଲାକାରେ ଜଣେ ଭାଗଚାଷୀ କୀଟନାଶକ ପିଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ମୃତକ ଜଣକ ହେଲେ, ତୁରୁବୁଡ଼ି ପଞ୍ଚାୟତ ଉଲୁମା ଗ୍ରାମର କୈଳାସ ଶବର (୫୭)।‘ଜୱାଦ୍’ ବାତ୍ୟାର ପ୍ରଭାବରେ ଶୁକ୍ରବାର ଓ ଗତକାଲି ଲଗାଣ ବର୍ଷା ହେତୁ ଫସଲ ନଷ୍ଟ ହୋଇଯିବାରୁ ସେ ମାନସିକ ଭାବେ ଭାଙ୍ଗିପଡ଼ିଥିଲେ। ଧାନକ୍ଷେତ ସଂପୂର୍ଣ୍ଣ ଭାବେ ଜଳାର୍ଣ୍ଣବ ପାଲଟିଥିବାରୁ ତାଙ୍କ ଦୁଃଖ ଆହୁରି ବଢ଼ିଯାଇଥିଲା। ଫଳରେ ପରିବାର ପ୍ରତିପୋଷଣ କେମିତି ହେବ, ଏହି ଚିନ୍ତା କୈଳାସଙ୍କୁ ଘାରିଥିଲା। ରବିବାର ସକାଳେ ତୁରୁବୁଡ଼ି ବଜାରକୁ ଯାଇ ପରିବା ବିକି ଘରକୁ ଫେରିଥିଲେ। ଆଉ ମଧ୍ୟାହ୍ନରେ କାଙ୍କଡ଼ ଗଛରେ ପକାଇବାକୁ ବ୍ୟବହାର କରାଯାଉଥିବା କୀଟନାଶକ ଔଷଧ ପିଇଦେଇଥିଲେ। ପରିବାର ଲୋକେ କୈଳାସଙ୍କୁ ତୁରନ୍ତ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିବା ପତ୍ନୀ ପଦ୍ମା କହିଛନ୍ତିକୈଳାସ ତାଙ୍କ ଘରର ଏକମାତ୍ର ରୋଜଗାରକ୍ଷମ ଓ ମୁରବି ଥିଲେ। ଟି.ନାମେଶ୍ବର ପାତ୍ରଙ୍କ ପ୍ରାୟ ଦୁଇଏକର ଚାଷଜମିରେ ସେ ଧାନ ଏବଂ ପାଖାପାଖି ଗୋଟିଏ ଏକର ଜମିରେ କାଙ୍କଡ଼, ଟମାଟୋ ଓ ବାଇଗଣ ଭଳି କିଛି ପରିବା ଚାଷ କରିଥିଲେ। ।ଘଟଣାସ୍ଥଳରେ ଜରଡ଼ା ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିଲା। ତହସଲିଦାର ଅମିତ କୁମାର ନାୟକ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପରିବାରବର୍ଗଙ୍କୁ ସାକ୍ଷାତ କରିଥିଲେ। ଏହାସହ ରେଡକ୍ରସ୍ ପାଣ୍ଠିରୁ ୧୦ହଜର ଟଙ୍କା ସହାୟତା ପ୍ରଦାନ କରିଥିଲେ।