ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍’, ହେଲେ ପ୍ରବଳ ବର୍ଷିବ

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍’ର ପ୍ରଭାବ । ତେବେ ବାତ୍ୟା ଦୁର୍ବଳ ହେଉଥିଲେ ବି ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆଜି ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାର ବିଭିନ୍ନ ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ‘ଜୱାଦ୍’ ପୁରୀ ଉପକୂଳ ଛୁଇଁବା ବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସମୟରେ ପବନର ବେଗ ଘଂଟାପ୍ରତି ୫୦ ରୁ ୬୦ କିଲୋମିଟର ହେବ ।
କେଉଁଠି ଜାରି ହୋଇଛି କେଉଁ ୱାର୍ଣ୍ଣିଂ
ଆଜି ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେହିପରି ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ଏହା ସହ ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ ଓ ରାୟଜଡ଼ା ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ଭଦ୍ରକ, ବାଲେଶ୍ୱର, ଯାଜପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୟେଲୋ ୱାର୍ଣ୍ଣିଂ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ବାତ୍ୟା ପ୍ରଭାବରେ କାଲିଠାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି । ପାରାଦୀପରେ ସର୍ବାଧିକ ୬୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ଗୋପାଳପୁରରେ ୪୩.୩ ମିମି, ପୁରୀରେ ୪୦ ମିମି ଓ ଭୁବନେଶ୍ୱରରେ ୧୦.୪ ମିମି ବର୍ଷା ରେକର୍ଡ ହୋଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି । ପୁରୀ ଓ ଗୋପାଳପୁର ବନ୍ଦର ପାଇଁ ୭ ନଂ ବିପଦ ସଙ୍କେତ ଜାରି ହୋଇଥିବା ବେଳେ ପାରାଦୀପ ଓ ଧାମରା ବନ୍ଦର ପାଇଁ ୪ ନଂ ବିପଦ ସଙ୍କେତ ଜାରି ହୋଇଛି ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ବେଳାଭୂମିକୁ ଆସିବାକୁ ଜନସାଧାରଣଙ୍କୁ ବାରଣ କରାଯାଉଛି । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡ୍ ଫ୍ଲାଗ୍ ଲଗାଯାଇଛି । ଦିଗବାରେଣୀ ଖୁଣ୍ଟଠାରୁ ଲାଇଟ୍ ହାଉସ୍ ବେଳାଭୂମି ଯାଏଁ ମଧ୍ୟ ରେଡ୍ ଫ୍ଲାଗ ଲଗାଯାଇଛି ।