କମ୍ପାନୀ ସଚିବମାନଙ୍କର ଦ୍ଵିତୀୟ ରାଜ୍ୟସ୍ତରୀୟ ସମ୍ମିଳନୀ ଅୟୋଜିତ…

ଭାରତୀୟ କମ୍ପାନୀ ସଚିବ ପ୍ରତିଷ୍ଠାନର ଓଡ଼ିଶା ଶାଖା ଦ୍ଵାରା କମ୍ପାନୀ ସଚିବ ମାନଙ୍କର ଦ୍ଵିତୀୟ ରାଜ୍ୟସ୍ତରୀୟ ସମ୍ମିଳନୀ ଭୁବନେଶ୍ଵର ସ୍ଥିତ ହୋଟେଲ ମେ ଫେୟାରରେ ‘Role Of CS Beyond Corporate Boundaries’ ଶୀର୍ଷକରେ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଶିଳ୍ପ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ରାଜ୍ୟ ମନ୍ତ୍ରୀ (ସ୍ଵାଧୀନ) ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଦେଶ ବିକାଶରେ କମ୍ପାନୀ ସଚିବ ମାନକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କର ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ଅଭିଯାନରେ ସାମିଲ ହୋଇ ଦେଶ ଏବଂ ରାଜ୍ୟକୁ ବିକାଶ ପଥରେ ଅଗ୍ରସର କରିବାରେ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହେବା ନିମନ୍ତେ ଆହ୍ଵାନ ଦେଇ ଥିଲେ । ଏହା ସହିତ MSME କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ପ୍ରତ୍ୟେକ୍ଷ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଓଡ଼ିଶା ତାପଜ ବିଦ୍ୟୁତ୍ ନିଗମର ଅର୍ଥ ନିର୍ଦ୍ଦେଶକ ଶ୍ରୀ ଗଗନ ବିହାରୀ ସ୍ୱାଇଁ ଯୋଗ ଦେଇ କମ୍ପାନୀ ସଚିବ ମାନଙ୍କର କର୍ପୋରେଟ GOVERNANCE କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସାଧୁବାଦ୍ ଜଣେଇଥିଲେ ଏବଂ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଆଲୋକପାତ କରିବା ସହ ଏଥିରେ ବିଷେଶଜ୍ଞମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂସ୍ଥାନର ପୂର୍ବ କ୍ଷେତ୍ରର ଅଧ୍ୟକ୍ଷ ଶ୍ରୀ ଅନୁଜ୍ ଶାରଶ୍ଵତ, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସୌମ୍ୟ ସୁଜିତ୍ ମିଶ୍ର, କମ୍ପାନୀ ସଚିବ ସଂସ୍ଥାନ ଭୁବନେଶ୍ଵର ଶାଖାର ଅଧ୍ୟକ୍ଷ ଶ୍ରୀମତୀ ସସ୍ମିତା ପଣ୍ଡା, ଉପାଧ୍ୟକ୍ଷ ଶ୍ରୀ ଶ୍ରିମନ୍ତ ବାବୁ, ସମ୍ପାଦକ ନୀଳକଣ୍ଠ ସାମଲ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ ।
ଏହି ଅବସରରେ ସଂସ୍ଥାନର ପୂର୍ବତନ ପ୍ରାନ୍ତୀୟ ଅଧ୍ୟକ୍ଷ ଶ୍ରୀ ପ୍ରିୟଦର୍ଶୀ ନାୟକ, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ମିଶ୍ର, ଶ୍ରୀ ରୁଦ୍ରମାଧବ ସାହୁ, ବିମଳ ପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ପାଣିଗ୍ରାହି କର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କର୍ମଶାଳାରେ ହାରାହାରି ୨୦୦ ଜଣ କମ୍ପାନୀ ସଚିବ ଯୋଗ ଦେଇଥିଲେ । ଏଥିରେ କମ୍ପାନୀ ଆଇନ ୨୦୧୩ ର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ବରିଷ୍ଠ କମ୍ପାନୀ ସଚିବ ଶ୍ରୀ ଦେବାଶିଷ ପାଣିଗ୍ରାହି, ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ଶ୍ରୀ ସତ୍ୱିନ୍ଦର ସିଂ, ଏକଜିକ୍ୟୁଟିଭ୍ ଡାଇରେକ୍ଟର ଏବଂ ଗ୍ଲୋବାଲ ସିଏଫ୍ଓ ଶ୍ରୀମତୀ ପ୍ରିୟଙ୍କା ଗଠାନି, କମ୍ପାନୀ ସଚିବ ଶ୍ରୀ ସନ୍ତୋଷ କୁମାର ପ୍ରମୁଖ ଯୋଗଦେଇ ଉପସ୍ଥିତ କମ୍ପାନୀ ସଚିବ ମାନଙ୍କୁ ଉଦବୋଧନ ଦେଇଥିଲେ । ସେହିପରି ସେସନ୍ ମୋଡରେଟର୍ ଭାବେ ସିଏସ୍ ସରୋଜ କୁମାର ରାଏ, ଶ୍ରୀ ବିଶ୍ୱଜିତ୍ ମହାପାତ୍ର ଏବଂ ଶ୍ରୀମତି ସୁଜାତା ସରକାର କର୍ମଶାଳାର ବିଭିନ୍ନ ବିଷୟ ଆଲୋଚନାରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଶାଖା ତରଫରୁ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା ।