ଅସହାୟ ମମତାର ଦୁଃଖ, ଗୁହାରୀ ଶୁଣ ମୋହନ ସରକାର…

ଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଅସହାୟ ମମତାର ଦୁଃଖଭରା କାହାଣୀ ଶୁଣିଲେ ଆଖିରେ ଲୁହ ଆସିଯିବ । ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଂଚାୟତର କରାବିରା ଗାଁ ଓ ଅନୁଗୁଳ ବ୍ଲକ ବଡ଼କନ୍ତୋକୂଳ ପଂଚାୟତର ସୀମାନ୍ତବର୍ତ୍ତୀ ଖୋଲ ଗାଁରେ ସାବତ ମା ସହ ବାସ କରନ୍ତି ବାପ-ମା ଛେଉଣ୍ଡ ସ୍ୱର୍ଗତ ନବୀନା ବେହେରାଙ୍କ ଝିଅ ମମତା ବେହେରା (୧୬) । ଦଶବର୍ଷ ତଳୁ ମମତାଙ୍କ ବାପା ଓ ମାଙ୍କର ଦେହାନ୍ତ ହୋଇଯାଇଛି । ଜାନୁୟାରୀ ୨୦୨୫ରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଚୁଲି ପାଖରେ ବସିଥିଲେ ମମତା । ତେବେ ସେ ହଠାତ୍ ମୁର୍ଚ୍ଛା ହୋଇଯିବାରୁ ନିଆଁରେ ପୋଡି ହୋଇଯାଇଥିଲା । ପରିବାରର ଅବହେଳା ପାଇଁ ୧୦ ଦିନ ପରେ ଗୁରୁତର ହେବାରୁ ଗାଁର ଜଣେ ସହୃଦୟ ବ୍ୟକ୍ତି ମମତାଙ୍କୁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେହିଦିନଠାରୁ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ମିଶ୍ର ନିଜେ ମମତାକୁ ଝିଅପରି ଯତ୍ନ କରି ଚିକିତ୍ସା କରିବାସହ ସମସ୍ତ ଦାୟିତ୍ୱ ତୁଲାଉଛନ୍ତି ।
ହିନ୍ଦୋଳ ଡାକ୍ତରଖାନର ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କ ପ୍ରତ୍ୟେକ୍ଷ ସହଯୋଗ, ତତ୍ୱାବଧାନରେ ଚିକିତ୍ସିତ ହେଉଛି ମମତା । ଖବରପାଇ ସାମ୍ବାଦିକ, ସମାଜସେବୀ ତଥା ପୂର୍ବତନ କାଉନସିଲର ପ୍ରଦ୍ୟୁମ୍ନ ବେହେରା, ସମାଜସେବୀ ଦୁଷ୍ମନ୍ତ ମିଶ୍ର, ସାମ୍ବାଦିକ ସୁଜିତ୍ କୁମାର ବେହେରା ଏ ବାବଦରେ ଡାକ୍ତର ସୁଧାଂଶୁ ମିଶ୍ରଙ୍କ ସହ କିପରି ମମତାର ଉନ୍ନତ ଚିକିତ୍ସା ହେବ ଓ ସେ କିପରି ସମସ୍ତ ସରକାରୀ ସହାୟତା ପାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଝିଅଟିର ପ୍ଲାଷ୍ଟିକ ସର୍ଜରୀ ଦରକାର ପଡୁଥିବାରୁ ଘା ଟିକେ କମିଗଲେ ତାକୁ ନିଜେ ଦାୟିତ୍ୱ ନେଇ ସମସ୍ତ ଚିକିତ୍ସା କରାଇବେ ବୋଲି କହିଛନ୍ତି ଡାକ୍ତର ମିଶ୍ର । ତେବେ ମମତା ବେହେରାଙ୍କୁ ଉନ୍ନତ ଚିକିତ୍ସା ସହ ଆର୍ଥିକ ସହାୟତା, ଆବାସଗୃହ, ରାସନକାର୍ଡ ଓ ଏକ ଅସହାୟ ଭତ୍ତା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର, ଜିଲ୍ଲାପାଳ, ସ୍ଥାନୀୟ ହିନ୍ଦୋଳ ଉପଜିଲ୍ଲାପାଳ, ତହସିଲଦାର, ବ୍ଲକ ପ୍ରଶାସନ ଓ ନେତୃବୃନ୍ଦଙ୍କୁ ନିବେଦନ କରିଛନ୍ତି ।