“ଭକ୍ତମୟ ଶ୍ରୀଜଗନ୍ନାଥ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

• ସାମ୍ବାଦିକ ବିରଞ୍ଚି, ପ୍ରଭାତ, ଡ. ଲକ୍ଷ୍ମୀଧର ସମ୍ବର୍ଦ୍ଧିତ
• ମହାପ୍ରଭୁ କେବଳ ଶ୍ରୀମନ୍ଦିରରେ ନୁହେଁ ସବୁଠି ଅଛନ୍ତି
• ଭକ୍ତି, ସମର୍ପଣ ଈଶ୍ୱରତ୍ୱ ପ୍ରାପ୍ତିର ଏକମାତ୍ର ମାର୍ଗ
• ସମାଜର ଉତ୍ଥାନ ପାଇଁ ସାମୁହିକତା ଜରୁରୀ
ପୁରୀ, (ଫ୍ରିଟୁସ୍ପିକ୍) : ଶ୍ରୀ ରାଧାରମଣ ଫାଉଣ୍ଡେସନ ଆନୁକୂଲ୍ୟରେ କଳ୍ପତରୁ ମିଶନ ସହଯୋଗରେ ଶ୍ରୀ ରାଧାରମଣଙ୍କ ୧୭୦ତମ ଜୟନ୍ତୀ ଓ ପରମ ବୈଷ୍ମବୀ କଙ୍କରୀ ପରମେଶ୍ୱରୀ ମାଆଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଅବସରରେ “ଭକ୍ତମୟ ଶ୍ରୀଜଗନ୍ନାଥ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଜିଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଧାରମଣ ଫାଉଣ୍ଡେସନ ଅଧ୍ୟକ୍ଷ ଡା. ଜଗନ୍ନାଥ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବକୁ ରାମକୃଷ୍ଣ ମଠ ଓ ମିଶନର ଅଧ୍ୟକ୍ଷ ସ୍ୱାମୀ ସୋମଦେବାନନ୍ଦ ଜୀ ମହାରାଜ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପରମ୍ପରା ସମ୍ପର୍କରେ ଆଲୋକପାତ କରି ଭକ୍ତି ସମର୍ପଣ ମହାପ୍ରଭୁଙ୍କୁ ପ୍ରାପ୍ତି ଏକମାତ୍ର ମାର୍ଗ ବୋଲି କହିଥିଲେ ।
ସମ୍ମାନୀତ ବକ୍ତା ପୂର୍ବତନ କୁଳପତି ପ୍ରଫେସର ହରିହର ହୋତା କହିଥିଲେ ସମସ୍ତ ମତ ପନ୍ଥରୁ ଉର୍ଦ୍ଧ୍ୱରେ ଶ୍ରୀ ଜଗନ୍ନାଥ ସଂସ୍କୃତି । ଆଦି ଶଙ୍କରାଚାର୍ଯ୍ୟଙ୍କଠାରୁ ଗୁରୁ ନାନକ ଦେବ, ଚୈତନ୍ୟ ଦେବଙ୍କ ପର୍ଯ୍ୟନ୍ତ ସମସ୍ତେ ଶ୍ରୀକ୍ଷେତ୍ର ମାଟିରେ ପହଞ୍ଚି ମହାପ୍ରଭୁଙ୍କ ସ୍ନାନିଧ୍ୟ ଲାଭ କରିଛନ୍ତି । ଶ୍ରୀକ୍ଷେତ୍ରରେ “ନାମ’ର ପ୍ରଭାବ ରହିଛି । ଭକ୍ତି ଓ ସର୍ମପଣ ଦ୍ୱାରା ଶ୍ରୀଜଗନ୍ନାଥଙ୍କୁ ପ୍ରାପ୍ତ କରିହେବ । ଏହି ଅବସରରେ ରାଧାରମଣ ଓ ପରମେଶ୍ୱରୀ ମାତାଙ୍କ ଆଧ୍ୟାତ୍ମିକ ଚିନ୍ତନ, ଭକ୍ତିଭାବ ସମ୍ପର୍କରେ କହିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତି ହିଁ ବିଶ୍ୱରେ ଶାନ୍ତି ଆଣିବ ବୋଲି କହିଥିଲେ ।
ଉଦଘାଟକ ରାମକୃଷ୍ଣ ମଠ ଅଧ୍ୟକ୍ଷ ସ୍ୱାମୀ ସୋମଦେବାନନ୍ଦ ଜୀ ମହାରାଜ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଧର୍ମସଭାର ପ୍ରଭାବ, ଲକ୍ଷ୍ୟ ପ୍ରାପ୍ତି ନ ହେବା ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ କହିଥିଲେ । ଧର୍ମ ପାଳନ ଅଭାବ ସମସ୍ୟାରେ ବିଘଟନ ସୃଷ୍ଟି ହେଉଛି । ସମାଜର ଉତ୍ଥାନ ପାଇଁ ସମୂହ ପ୍ରୟାସ ଜରୁରୀ ବୋଲି କହିଥିଲେ । ମହାପ୍ରଭୁ କେବଳ ଶ୍ରୀମନ୍ଦିରର ନୁହେଁ ବରଂ ସମସ୍ତ ଚରାଚରା ଜଗତରେ ଅଛନ୍ତି । ମହାପ୍ରଭୁଙ୍କ ଭକ୍ତିଭାବ ସମସ୍ତଙ୍କୁ ଏକାଠି ଭକ୍ତିରସରେ ବାନ୍ଧି ରଖିଛି । ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତି ସ୍ନେହଶ୍ରଦ୍ଧାଭାବ ସହ ସହଯୋଗ ର ହାତ ବଢାଅ । ପରସ୍ପର ମଧ୍ୟରେ ସହଭାଗିତା, ସମନ୍ୱୟ ରହିଲେ ସମାଜରେ ଶୃଙ୍ଖଳା ବଜାଏ ରହିବ ।
ବ୍ରହ୍ମ ବିଦ୍ୟା ମଠ ଅଧ୍ୟକ୍ଷ ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ଜୀ ମହାରାଜ କହିଲେ ଶ୍ରୀକ୍ଷେତ୍ରରେ ଯିଏ ଜନ୍ମ ନେଇଛି ସେ ମହାପ୍ରଭୁଙ୍କ କୃପାଲାଭ କରିଛନ୍ତି । ନିଜକୁ ଜଣେ ଭକ୍ତ ଭାବେ ମହାପ୍ରଭୁଙ୍କୁ ସମର୍ପଣ କରିଲେ ଭକ୍ତି ପ୍ରାପ୍ତ ହେବ । ସେ କହିଲେ ଭାରତ ସଂସ୍କୃତି ପରମ୍ପରା ପ୍ରତି ବଢି ଚାଲିଥିବା ଅମାନବୀୟତା ସନାତନ ସଂସ୍କୃତି କୁଠାରଘାତ ବୋଲି କହିଥିଲେ । ତଥାକଥିତ ଭାରତ ତାମସୀ ଭାବରେ ଶୋଇଛି । ରାଷ୍ଟ୍ରର ସ୍ୱାର୍ଥ ପାଇଁ ଏକାଠି ହେବାର ସମୟ ଆସିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ମଳକୃତି ବିକାଶ ଟ୍ରଷ୍ଟ ଅଧ୍ୟକ୍ଷ ଇଂ ଦିଲୀପ କୁମାର ପଟ୍ଟନାୟକ, ହାଇକୋର୍ଟ ଆଇନଜୀବୀ କୈଳାସ ଚନ୍ଦ୍ର ସ୍ୱାଇ, ରାଜଭୂମୀ ପତ୍ରିକାର ସମ୍ପାଦକ ପବିତ୍ର ବ୍ରହ୍ମପୁତ୍ର ନାୟକ, ଫ୍ରି ଟୁ ସ୍ପିକ୍ର ସମ୍ପାଦକ ଲଳିଟେନ୍ଦୁ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ରାଧାରମଣ ଓ ପରମେଶ୍ୱରୀ ମାଆଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସମାଜସେବା, ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ଉଲ୍ଲେଖନୀୟ ଅବଦାନ ଲାଗି ବରିଷ୍ଠ ସାମ୍ବାଦିକ ବିରଞ୍ଚିନାରାୟଣ ଦାଶ, ପ୍ରଭାତ ପାଣିଗ୍ରାହୀ ଏବଂ ଆସୋସିଏଟ ପ୍ରଫେସର ଲକ୍ଷ୍ମୀଧର ପଣ୍ଡାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।
ରାଧାରମଣ ଫାଉଣ୍ଡେସନ ପ୍ରତିଷ୍ଠାତା ସମ୍ପାଦକ ଗୁରୁଚରଣ ଦାସ ଅତିଥି ପରିଚୟ, ସଦସ୍ୟ ପ୍ରଭାତ ପାଣିଗ୍ରାହୀ ସ୍ୱାଗତ ଭାଷଣରେ ଉତ୍ସବ ଆଭିମୁଖ୍ୟ, ନୀଳମଣୀ ଗୁରୁ ଶ୍ରୀ ରାଧାରମଣ ଓ ପରମେଶ୍ୱରୀ ମାତାଙ୍କ ଭକ୍ତି ଆରାଧନା ସମ୍ପର୍କରେ କହିଥିଲେ । ସଂସ୍କୃତି ଗବେଷକ ପଣ୍ଡିତ ସଦାଶିବ ମିଶ୍ର ବେଦପାଠ, ଶ୍ୟାମସୁନ୍ଦର ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପଣ୍ଡିତ ହରିଶଙ୍କର ମିଶ୍ର ଅତିଥି ମାନଙ୍କୁ ଉପଢୌକନ ଓ ସ୍ମାରକୀ ପ୍ରଦାନ ସମ୍ବର୍ଦ୍ଧିତ କରିଥିଲେ । ଉପ ସଭାପତି କୈଳାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସାହିତି୍ୟକ ଶିବସୁନ୍ଦର ମିଶ୍ର ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ସୁଶାନ୍ତ ଶତପଥୀ ମଞ୍ଚ ସଂଯୋଜନା କରିଥିବା ବେଳେ ଜଗଦୀଶ ଦାଶ, ଶୁଭମ ଦାଶ, ଦୁର୍ଗାପ୍ରସାଦ ଦାଶ, ରାଧାନାଥ ମିଶ୍ର, ସତ୍ୟ ନାରାୟଣ ତ୍ୟାଗୀ ଓ ଗୁରୁପ୍ରସାଦ ଦାଶ ପ୍ରମୁଖ ସହଯୋଗ କରିଥିଲେ । ପୁରୀ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜିବୀ, ଶିକ୍ଷାବିତ, ସଂସ୍କୃତି ଗବେଷକ, ସାହିତ୍ୟକ, ଛାତ୍ରୀଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।