ଅସ୍ମିତାର ସ୍ୱର କେତେ ସଫଳ ? ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀକୁ ଭୁଲିଗଲା ଓଡ଼ାପଡା ବ୍ଲକ ପ୍ରଶାସନ
ଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ପୁରା ଦେଶ ଓଡ଼ିଆ ସ୍ୱଭିମାନର ପ୍ରତୀକ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀ ପାଳନ କରୁଥିବାବେଳେ ଓଡାପଡା ବ୍ଲକ ପ୍ରଶାସନ ଭୁଲି ଯାଉଛି ମହାପୁରୁଷଙ୍କୁ । ଓଡ଼ିଆ ଅସ୍ମିତା ସରକାରରେ ଏମିତି ହେଉଛି ମହାପୁରୁଷଙ୍କୁ ଅସମ୍ମାନ । ଏପରିକି ବ୍ଲକ ପ୍ରଶାସନକୁ ଫୁଲ ମାଳଟିଏ ବି ମିଳିଲାନି ଓଡ଼ିଆ ସ୍ୱାଭିମାନର ପ୍ରତୀକ ମଧୁବାବୁଙ୍କୁ ସମ୍ବୋଧିତ କରିବାକୁ । ସୂଚନା ଥାଉକି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣି ଚାଲିଥିଲା ଯେଉଁଥିରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀଙ୍କଠାରୁ ଆରମ୍ଭ କରି ଉଭୟ ବ୍ଲକ ସ୍ତରୀୟ ଓ ଜିଲ୍ଲାସ୍ତରୀୟ ଅନେକ ଅଧିକାରୀ ଏହି ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଇଥିଲେ । ଏହି ସମୟରେ ଓଡାପଡା ବ୍ଲକ ଫାଟକ ସମ୍ମୁଖରେ ଥିବା ମହପୁରୁଷମାନଙ୍କ ପ୍ରତିମୂର୍ତ୍ତି ପାଖରେ ଗାଡି ମଧ୍ୟ ପାର୍କିଂ କରିଥିଲେ । ମାତ୍ର ଓଡ଼ିଆ ସ୍ୱାଭିମାନ ଦିବସ ତଥା ଉକôଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀକୁ ଭୁଲିଗଲେ କିପରି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଅପରପକ୍ଷେ ଏହିଭଳି ଭୁଲ ଓଡାପଡା ବ୍ଲକରେ ପ୍ରାୟ ସବୁସମୟରେ ହୋଇଥାଏ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେବେ ବାରମ୍ବାର ଓଡାପଡା ବ୍ଲକର ଏଭଳି ଆଚରଣକୁ ନିନ୍ଦା କରି ଖବର ପ୍ରାସରଣ ସତ୍ତ୍ୱେ ପ୍ରଶାସନର କୋହଳ ମନୋଭାବ କାରଣରୁ ଏଭଳି ଘଟଣା ଘଟୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି ।
ମଧୁବାବୁ ହେଉଛନ୍ତି ପ୍ରତିଟି ଓଡ଼ିଆଙ୍କ ହୃଦୟର ମଉଡମଣି । ତାଙ୍କ ଜନ୍ମଜୟନ୍ତୀ ପାଳନ ପାଇଁ ସରକାରୀ ସ୍ତରରେ ନିର୍ଦେଶ ମଧ୍ୟ ରହିଛି । ଏହାକୁ ସ୍ୱାଭିମାନ ଦିବସ ରୂପେ ପାଳନ ହେଉଥିବାବେଳେ ଓଡାପଡା ବ୍ଲକ ପ୍ରଶାସନର ବ୍ୟତିକ୍ରମ ଅତ୍ୟନ୍ତ ନିନ୍ଦନୀୟ । ଅସ୍ମିତାର ସ୍ୱର ନେଇ ଆଗେଇ ଚାଲିଥିବା ରାଜ୍ୟ ସରକାର ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଅତି ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି ।