ଚିଟଫଣ୍ଡ୍ ଠକେଇର ଶିକାର ହୋଇଛନ୍ତି ମୁଖ୍ୟମନ୍ତ୍ରୀ…

ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଦୁଇ ଥର ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିବା ନେଇ ପ୍ରକାଶ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରେ ଆୟୋଜିତ ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଏକଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୯୯୦ ଓ ୨୦୦୨ ମସିହାରେ ଦୁଇଥର ଚିଟଫଣ୍ଡ୍ ସଂସ୍ଥା ଦ୍ବାରା ଠକେଇର ଶିକାର ହୋଇଥିଲେ । ଗୋଟିଏ ସରକାରୀ ଓ ଗୋଟିଏ ବେସରକାରୀ ସଂସ୍ଥାରେ ଠକେଇରେ ଶିକାର ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏ ନେଇ ୧୯୮୬ ଆଇନରେ ଅପିଲ କରିଥିଲେ ସୁଦ୍ଧା ପଇସା ମିଳିନଥିଲା ବୋଲି ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ କହିଛନ୍ତି ମୋହନ ମାଝୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଠକ ସଂସ୍ଥାମାନଙ୍କୁ ଉତ୍ତରଦାୟୀ କରିବା ପାଇଁ ୧୯୮୬ ମସିହାରେ ଯେଉଁ ଆଇନ ତିଆରି ହେଇଥିଲା, ସେ ଆଇନ ଯଥେଷ୍ଟ ଉପଯୋଗୀ ହେଲା ନାହିଁ । ଚିଟଫଣ୍ଡ ଠକେଇରେ ଶିକାର ହୋଇଥିବା ଲୋକମାନଙ୍କୁ ସୁରକ୍ଷା ଦେଇପାରିଲା ନାହିଁ । ଯଦି ସୁରକ୍ଷା ଦେଇଥାଆନ୍ତା ତେବେ ଲୋକେମାନେ ଅସୁବିଧାରେ ସମ୍ମୁଖୀନ ହୋଇ ନଥାନ୍ତେ । ୧୯୮୬ ମସିହାରେ ତିଆରି ହୋଇଥିବା ଆଇନରେ ବହୁତ ଗଳା ବାଟ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଳାବାଟକୁ ବନ୍ଦ କରିଦେଲେ । ବିଭିନ୍ନ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରିବା ପରେ ସଂସଦରେ ନୂଆ ‘ଉପଭୋକ୍ତା ଆଇନ ୨୦୧୯’ ଆଲୋଚନା ହେଲା । ପରେ ଏହି ଆଇନ ସଂସଦରେ ପାରିତ ହେଲା । ୨୦୨୦ ଜୁଲାଇ ୨୦ ତାରିଖରେ ରାଷ୍ଟ୍ରପତି ଦ୍ୱାରା ସ୍ୱାକ୍ଷରିତ ହେବା ପରେ ବର୍ତ୍ତମାନ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।