ଇଣ୍ଟରନେଟ୍ ଯୁଗରେ ନେଟୱାର୍କ ପାଇଁ ସମସ୍ୟା, ମୌଳିକ ସୁବିଧାରୁ ବଞ୍ଚିତ ବାଗୁଲୀ ଗ୍ରାମବାସୀ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଦଣ୍ଡିରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଗୁଲୀ ଗ୍ରାମ । ଏହି ଗ୍ରାମର ଦୂରାବସ୍ଥା ସମ୍ପର୍କରେ ନ କହିବା ଭଲ । ଦିନେ ନଗଡା ସମଗ୍ର ବିଶ୍ୱରେ ଓଡ଼ିଶାର ଛବିକୁ ଏକ ଗରିବ ରାଜ୍ୟର ମାନଦଣ୍ଡ ଉପରେ ଦଣ୍ଡାୟମାନ କରିଥିଲା । ଆମ ରାଜ୍ୟ ଆସନ୍ତା ୨୦୩୬ ବେଳକୁ ବିକଶିତ ରାଜ୍ୟର ଦୌଡରେ ସାମିଲ ହେବାର ସ୍ୱପ୍ନ ଦେଖୁଛି । କିନ୍ତୁ ବାଗୁଲୀ ଗ୍ରାମର ଚିତ୍ର ଏହି ବିକଶିତ ରାଜ୍ୟର ସ୍ୱପ୍ନକୁ କେତେ ପୂରଣ କରିବ ତାହାକୁ ନେଇ ପ୍ରଶ୍ନ । ଏହି ଗ୍ରାମର ଲୋକଙ୍କ ଅବସ୍ଥା କହିଲେ ନ ସରେ । ଗ୍ରାମରେ ୩୩ ଗୋଟି ପରିବାରର ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ ଜନ ସାଧାରଣ ବସବାସ କରନ୍ତି । ସେମାନଙ୍କ ଅଭିଯୋଗ ହେଲା ଦେଶ ସ୍ୱାଧୀନତାକୁ ପୂରିଲାଣି ୭୬ ବର୍ଷ, ହେଲେ ଏବେ ସୁଦ୍ଧା ଗାଁକୁ ସ୍ଥାୟୀ ସଡ଼କଟିଏ ନାହିଁ । ଯଦ୍ୱାରା ଗ୍ରାମବାସୀ ପଞ୍ଚାୟତଠାରୁ ପ୍ରାୟ ୩ କିଲୋମିଟର ବ୍ୟାପି ଦୀର୍ଘ ଜଙ୍ଗଲ ରାସ୍ତା ଦେଇ ଯାତାୟାତ କରୁଛନ୍ତି । ଅଧିକାଂଶ ସମୟରେ ବଣୁଆ ହାତୀ ପଲଙ୍କ ସାମ୍ନାରେ ପଡି ଅନେକ ଲୋକଙ୍କ ପ୍ରାଣହାନି ହେବାର ନଜିର ମଧ୍ୟ ରହିଛି । ବାଲି ଧୂସରିତ ଅଣ ଓସାରିଆ ଖାଲଖମାରିଆ ରାସ୍ତା ଦେଇ ଗାଁକୁ ୧୦୮ ଆମ୍ବୁଲାନ୍ସ ଏବଂ ଜନନୀ ଏକ୍ସପ୍ରେସ ଯିବା ଆଦୌ ସମ୍ଭବ ପର ନୁହେଁ । ତେଣୁ ଜରୁରୀକାଳିନ ଚିକିତ୍ସା ସେବାରୁ ଏଠାକାର ଲୋକେ ବଞ୍ଚିତ ।

ଗମନାଗମନ ସହିତ ପାନୀୟ ଜଳ ସମସ୍ୟାକୁ ନେଇ ଜୁଝିହେଉଛନ୍ତି ଗ୍ରାମବାସୀ । ବ୍ୟବହାର ପାଇଁ ଏକ ପୋଖରୀ ନଥିବାବେଳେ ବସୁଧା ଯୋଜନା ଏଠି ସ୍ୱପ୍ନ । ଗ୍ରାମବାସୀଙ୍କ ପାନୀୟ ଜଳର ସାହା ଭରଷା କହିଲେ ଏକ ଭଙ୍ଗା କୂଅର ଦୂଷିତ ଜଳ । ଆଉ ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ । ଗ୍ରାମରେ ରହିଛି ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ମାଧ୍ୟମିକ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଏଠାରୁ ପ୍ରାୟ ୫ ରୁ ୭ କିଲୋମିଟର ଦୂର ଅନ୍ୟ ଗାଁକୁ ଯିବାକୁ ପଡେ । କରୋନା ସମୟରେ ଟେଲି ଯୋଗାଯୋଗ ତଥା ଡିଜିଟାଲ ଯୁଗର ଗମ୍ଭୀରତାକୁ ସମସ୍ତେ ଅନୁଭବ କରିଥିଲେ । ଏ ଦିଗରେ ଆମ ରାଜ୍ୟ କେତେ ପଛରେ ରହିଥିଲା ତାହାର ମଧ୍ୟ ଆକଳନ ହେବା ସହ ସମାଧାନର ବାଟ ଫିଟିଥିଲା । ମାତ୍ର ଆଜିବି ବାଗୁଲୀ ଗ୍ରାମବାସୀ ଏହି ସେବା ଟିକକ ପାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ଇଣ୍ଟରନେଟ୍ ଯୁଗରେ ନେଟୱାର୍କ ପାଇଁ ସମସ୍ୟା ଅତ୍ୟନ୍ତ ଦୟନୀୟ । ଏପରିକି ଗାଁରେ କୌଣସି ଶୁଭ କର୍ମଣ କିମ୍ବା ସାମୁହିକ ପୂଜା କରିବା ପାଇଁ ଗାଁର ମଧ୍ୟ ସ୍ଥଳରେ ରହିଛି ଏକ ଅଧା ପନ୍ତରିଆ ତଥା ଜରାଜୀର୍ଣ୍ଣ ଅବସ୍ଥାରେ କୋଠଘର । ଏହି ସହୁ ସମସ୍ୟା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ, ନିର୍ବାଚିତ ଜନ ପ୍ରତିନିଧି, ଉପଖଣ୍ଡ ଓ ଜିଲ୍ଲା ପ୍ରଶାସନ ଜାଣିଥିଲେ ସୁଦ୍ଧା ଦୁର୍ବଳ ମନୋବଳ ଏବଂ ବମ୍ଫା ରାଜନୀତି ପାଇଁ ସ୍ଥାନୀୟ ଜନସାଧାରଣ ବହୁ ହନ୍ତସନ୍ତ ହେଉଛନ୍ତି ।

ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ଥର ବିଭିନ୍ନ ଦଳର ନେତା ଓ କର୍ମୀମାନେ ଗାଁକୁ ଭୋଟ ଭିକ୍ଷା କରିବା ସହିତ ଉପରୋକ୍ତ ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି । ଏବଂ ନିର୍ବାଚନ ପରେ ସ୍ଥାନୀୟବାସୀଙ୍କ ଅବସ୍ଥା ଯଥା ପୂର୍ବଂ ତଥା ପରଂ ହୋଇ ରହେ । ବିଭିନ୍ନ ସମୟରେ ସରକାରୀ ଅବହେଳା ହେଉ ଅବା ବନ ବିଭାଗର ଗାଁକୁ ସ୍ଥାୟୀ ରାସ୍ତା ପାଇଁ ଅନୁମତି ନ ଦେବା । ଏପରିକି ସ୍ଥାନୀୟ ଜନ ପ୍ରତିନିଧିଙ୍କ କୋହଳ ମନୋଭାବ କାରଣରୁ ଗ୍ରାମବାସୀ ଅବହେଳିତ ରହିଥିବା ଅଭିଯୋଗ କରିଛନ୍ତି । ଏଣୁ ଏ ଦିଗରେ ରାଜ୍ୟସରକାର ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଛନ୍ତି ।