କମେଣ୍ଟ ମରାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ୍: ୩ ଆହତ, ୨ଅଟକ…

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ୱାଇଁ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ପଞ୍ଚୁକୋଟ ଗ୍ରାମରେ ସ୍କୁଲ ଛାତ୍ରୀକୁ କମେଣ୍ଟ ମରାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ୍ । ଫଳରେ ଉଭୟ ପକ୍ଷରୁ ୩ଜଣ ଗୁରୁତର ଆହତ ହୋଇଥିବାବେଳେ ଦୁଇଟି ବାଇକକୁ ଭଙ୍ଗାରୁଜା କରାଯାଇଛି । ଏହି ଘଟଣାରେ ଉଭୟପକ୍ଷରୁ ଦୁଇଜଣଙ୍କୁ ଥାନାରେ ଅଟକ ରଖାଯାଇଛି । ଘଟଣାରୁ ପ୍ରକାଶ ଯେ, ପଞ୍ଚୁକୋଟ ଗ୍ରାମର ପଲେଇ ମାର୍ଥାଙ୍କ ଅଷ୍ଟମଶ୍ରେଣୀ ଝିଅକୁ ସେହି ଗ୍ରାମର ପ୍ରଧାନ ପରିବାରର କେତେକ ପିଲା କମେଣ୍ଟ ମାରି ଆସୁଥିଲେ । ସୋମବାର ଦିନ ସ୍କୁଲରୁ ଛାତ୍ରୀ ଜଣକ ଘରକୁ ଫେରିବା ସମୟରେ ପୁଣି କମେଣ୍ଟ ମାରିବା ଫଳରେ ଛାତ୍ରୀ ଜଣଙ୍କର ପରିବାର ଏହାର ପ୍ରତିବାଦ କରିଥିଲେ । ଏହାପରେ ଉଭୟ ପରିବାରଙ୍କ ମଧ୍ୟରେ ମୁହାଁମୁହିଁ ଗୋଷ୍ଠୀ ସଂଷର୍ଷ ଘଟିଥିଲା । ଛାତ୍ରୀଙ୍କର ଦଦା ଦିପୁନା ପ୍ରଧାନ ଓ ଛାତ୍ରୀର ମା’ ପାଲେଇ ମାର୍ଥା ଗୁରୁତର ଆହତ ହୋଇଥିବାବେଳେ ଅପରପକ୍ଷେ ସଞ୍ଜୟ ପ୍ରଧାନ ଓରଫ ଜଙ୍ଗଲି ଗୁରୁତର ଆହତ ହୋଇଛନ୍ତି ।

ଉକ୍ତ ୩ଜଣଙ୍କୁ ବୋଲଗଡ ମେଡିକାଲରେ ପ୍ରାଥମିକ ଚିକିତ୍ସାପରେ ଅଧିକ ଚିକିତ୍ସାପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏହି ଘଟଣାରେ ଉଭୟପକ୍ଷର ଦୁଇଜଣଙ୍କୁ ବୋଲଗଡ ଥାନାରେ ଅଟକ ରଖାଯାଇଥିବାବେଳେ ଛାତ୍ରୀଙ୍କୁ କମେଣ୍ଟ ମାରିଥିବା ମାର୍ଥା ପରିବାରର ଆକ୍ରମଣରେ ପ୍ରଧାନ ପରିବାରର ଦୁଇଟି ବାଇକକୁ ଭଙ୍ଗାରୁଜା କରାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବାବେଳେ ମୋକଦ୍ଦମା ରୁଜୁ କରାଯାଇନାହିଁ ।