୨୬ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍ !

୨୬ରେ ଶପଥ ନେବ ଜେଏମ୍ଏମ୍ ସରକାର । ପୁଣିଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍ । ବିଧାନସଭା ନିର୍ବାଚନରେ ବିପୁଳ ଭୋଟ୍ରେ ବିଜୟୀ ହୋଇଛି ଜେଏମ୍ଏମ୍ । ପୁନର୍ବାର ବିଜୟ ପରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଝାଡ଼ଖଣ୍ଡରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ ସମାରୋହରେ ଇଣ୍ଡି ଆଲିଏନ୍ସର ବଡ଼ ବଡ଼ ନେତା ସାମିଲ ହେବେ । ଶପଥ ଗ୍ରହଣ ଉତ୍ସବରେ ମମତା ବାନାର୍ଜୀ, ରାହୁଲ ଗାନ୍ଧୀ, ଅଖିଳେଶ ଯାଦବ, ଅରବିନ୍ଦ କେଜ୍ରିୱାଲ, ତେଜସ୍ୱୀ ଯାଦବ, ଦୀପଙ୍କର ଭଟ୍ଟାଚାର୍ଯ୍ୟ ଯୋଗ ଦେଇପାରନ୍ତି ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ହେମନ୍ତ ସୋରେନ୍ ଅପରାହ୍ନରେ ରାଞ୍ଚିସ୍ଥିତ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ଦେବା ସହ ଝାଡ଼ଖଣ୍ଡରେ ପୁଣି ଥରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟତୀତ ଜେଏମ୍ଏମ୍ ରୁ ୬ଜଣ, କଂଗ୍ରେସରୁ ୪ ଜଣ ଏବଂ ଆରଜେଡିରୁ ଜଣେ ମନ୍ତ୍ରୀ ରହିବେ ।
ଏଠାରେ ଉଲ୍ଲେଖ୍ୟଯୋଗ୍ୟ, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ମୋଟ ୮୧ଟି ଆସନ ମଧ୍ୟରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ମିଳିତ ମେଣ୍ଟ ୫୬ଟି ହାତେଇ ନିଜ କ୍ଷମତା ବଜାୟ ରଖିଛି । ସେପଟେ ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ କେବଳ ୨୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି।
ସେପଟେ ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ସରକାର ଗଠନ କରିବ । ତେବେ କିଏ ଧରିବ ମହାରାଷ୍ଟ୍ର ମଙ୍ଗ ତାକୁ ନେଇ ଆସନ୍ତାକାଲି ବସୁଛି ବିଜେପି ବିଧାୟକ ଦଳ ବୈଠକ । ଏକାନଥ ସିନ୍ଦେ ନା ଦେବେନ୍ଦ୍ର ଫଡନାଭିସ୍ । ଦଳର ନିଷ୍ପତ୍ତି ପରେ ଘୋଷଣା ହେବ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ।