ବିଧାୟକ ଲିକୁ ସାହୁଙ୍କୁ ଆକ୍ରମଣ, ବନ୍ଧା ହେଲେ ୧୦ ଜଣ…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଜଣଙ୍କୁ ବାନ୍ଧିଲା ପୋଲିସ୍ । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଯାଜପୁର ଏସ୍ଡିଜେଏମ୍ କୋର୍ଟରେ ହାଜର କରିଥିଲା ପୋଲିସ୍ । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ବିଧାୟକଙ୍କ ପିଏସ୍ଓଙ୍କ ଏତଲା ଆଧାରରେ ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।
ଗତକାଲି ସନ୍ଧ୍ୟାରେ ଯାଜପୁର ଟାଉନ୍ ଥାନା ବୁଢାପୋଲଠାରେ ବିଧାୟକ ହିମାଂଶୁ ସାହୁ ଗାଡିରେ ଯାଇଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା। ବିଜେଡି ନେତା ବବି ଦାସଙ୍କ ସମର୍ଥକ ତାଙ୍କ ଗାଡିକୁ ଭଙ୍ଗାରୁଜା କରିଥିବା ସିଧାସଳଖ ଅଭିଯୋଗ କରିଥିଲେ ଧର୍ମଶାଳା ବିଧାୟକ । ଏଥିସହିତ ପିଏସ୍ଓଙ୍କୁ ଆକ୍ରମଣ କରାଯାଇଥିବା ବିଧାୟକ ଅଭିଯୋଗ କରିଥିଲେ । ଏହି ଖବର ପ୍ରଚାରିତ ହେବାପରେ ବିଜେପି କର୍ମୀମାନେ ସେଠାରେ ପହଞ୍ଚିଥିଲେ । ଏହା ପରେ ଅଭିଯୁକ୍ତମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ । ଅପରପକ୍ଷେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଧାୟକ ଶ୍ରୀ ସାହୁ ଓ ତାଙ୍କ ସମର୍ଥକମାନେ ଧାରଣାରେ ବସିଥିଲେ । ବିଳମ୍ୱିତ ରାତିରେ ଯାଜପୁର ଏସ୍ପି ଆନ୍ଦୋଳନ କରୁଥିବା ବିଧାୟକ ଓ ତାଙ୍କ କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହି ଘଟଣାରେ ପୋଲିସ୍ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସେପଟେ ଯାଜପୁରର ପୂର୍ବତନ ବିଧାୟକ ବବି ଦାସ ବର୍ତ୍ତମାନର ବିଧାୟକ ହିମାଂଶୁଙ୍କ ଉପରେ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ଗଣତନ୍ତ୍ରରେ କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ। ଘଟଣାକୁ ନିନ୍ଦା କରୁଛି । ଆକ୍ରମଣ ସମୟରେ ମୁଁ ଘଟଣା ସ୍ଥଳରେ ନ ଥିଲି, ଅନ୍ୟ ଏକ ସ୍ଥାନରେ ରାଜନୈତିକ କାର୍ଯ୍ୟକ୍ରମରେ ଥିଲେ । ମୋ ଭାଇଙ୍କ ନାଁରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି ବିଧାୟକଙ୍କ ଗୋଷ୍ଠୀ । ‘ଭାଇକୁ କହିଛି ଥାନାରେ ଯାଇ ବସିବାକୁ, ଦୋଷୀ ଥିଲେ କାର୍ଯ୍ୟାନୁଷ୍ଠାନ ହେଉ ।’