ଓଡିଶା

ଆଉ ନାହାନ୍ତି ଭେଟରାନ୍ ନେତା ସମୀର ଦେ…

ପରପାରିରେ ଭେଟରାନ୍ ନେତା ସମୀର ଦେ । ବିଜେପିର ବରିଷ୍ଠ ନେତା ତଥା ତିନି ତିନି ଥର ବିଧାୟକ ସମୀର ଦେ’ଙ୍କ ୬୭ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ। ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ସମୀର ଦେ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସରକାର ଅମଳରେ ସେ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ ଭାବେ ନିଜର ଦାୟିତ୍ବ ସମ୍ପାଦନ ମଧ୍ୟ କରିଥିଲେ । ଜଣେ ପ୍ରବୀଣ ରାଜନେତା ଭାବେ ବେଶ ଲୋକପ୍ରିୟ ଥିଲେ ସମୀର ଦେ । ତାଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । 

ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ଦେ ଜଣେ ଲୋକପ୍ରିୟ ଜନ ନେତା ଓ ଦୃଢ଼ ସଂଗଠକ ଥିଲେ। ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବରେ ସେ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି। ତାଙ୍କର ମିଷ୍ଟଭାଷୀ ବ୍ୟକ୍ତିତ୍ଵ ପାଇଁ ସେ ସବୁ ବର୍ଗର ଲୋକଙ୍କର ପ୍ରିୟପାତ୍ର ଥିଲେ। କଟକ ସହର ସହିତ ସାରା ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା। ତାଙ୍କର ଶେଷ କୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମୀର ଦେଙ୍କ ପରଲୋକ ସମ୍ପର୍କରେ ସୂଚନା ଦେଇ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ‘ଏକ୍ସ’ରେ ଲେଖିଛନ୍ତି ଯେ, “ସମୀର ଦେ, ଆମେ ପ୍ରିୟ ଦାଦା ଇହ ଧାମରେ ନାହାନ୍ତି ଶୁଣି ବିଶ୍ୱାସ ହେଉନି। ରାମ ଜନ୍ମଭୂମି ଆନ୍ଦୋଳନ ସମୟରୁ କଟକ ସହର ଏବଂ ଆଖପାଖ ଅଞ୍ଚଳରେ ବ୍ୟକ୍ତିଗତ ଭାବରେ ପହଞ୍ଚାଇ ଆମ ଦଳ ପାଇଁ ଏକ ମଡେଲ ଭାବରେ ପ୍ରସ୍ତୁତ କରିଥିଲେ। ୧୯୯୫ ମସିହାରେ ବିଧାନସଭାରେ ପ୍ରବେଶ କରି ଓଡ଼ିଆଙ୍କ ଜନ ଆକାଂକ୍ଷାକୁ ବଡ଼ ରୂପ ଦେଇ ଦଳ ବିକାଶର ଭିତ୍ତି ପ୍ରସ୍ତର ପକାଇଥିଲେ। ୨୦୦୦ ଓ ୨୦୦୪ ରେ ମନ୍ତ୍ରୀ ଭାବରେ ନିଜର ଦକ୍ଷତାକୁ ପ୍ରତିପାଦିତ କରିଥିଲେ। ତାଙ୍କର ବିୟୋଗ କେବଳ ଆମ ଦଳ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ବିରାଟ କ୍ଷତି । ଏହି ଦୁଃଖକୁ ଶଯ୍ୟ କରିବାପାଇଁ ତାଙ୍କ ପରିବାରକୁ ମହାପ୍ରଭୁ ଅସୀମ ଶକ୍ତି ଦିଅନ୍ତୁ। ଏହା ହିଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା l”

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ ଲେଖିଛନ୍ତି ଯେ, “ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଆମ ଦଳର ବରିଷ୍ଠ ନେତା ସମୀର ଦେଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦାଦା ଜଣେ ମିଷ୍ଟଭାଷୀ ଓ ପରୋପକାରୀ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କୁ ସବୁବେଳେ ଭେଟିବା ସମୟରେ ତାଙ୍କର ପରିବାର ସଦସ୍ୟଙ୍କ ଠାରୁ ମିଳିଥିବା ସ୍ନେହ ଆଦର ଅଭୁଲା ରହିବ । ବିଜେପିର ପ୍ରାରମ୍ଭିକ ପ୍ରଗତି ସମୟରେ ଉପକୂଳ ଓଡ଼ିଶାରେ ଅଭ୍ୟୁଦୋୟର କେନ୍ଦ୍ରବିନ୍ଦୁ ଭାବେ କଟକ ସହରରୁ ଆମ ଦଳର ରାଷ୍ଟ୍ରବାଦୀ ବିଚାରକୁ ଜନପ୍ରିୟ କରାଇବାରେ ସେ ପ୍ରମୁଖ ଭୂମିକା ନେଇଥିଲେ । ଦାଦାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ନେହୀ ଓ ଦକ୍ଷ ନେତାଙ୍କୁ ହରାଇଲା । ଜନପ୍ରତିନିଧି ଭାବେ ସେ ଯେଉଁ ଉନ୍ନତିମୂଳକ କାର୍ଯ୍ୟ କରିଯାଇଛନ୍ତି, ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । “

ସମୀର ଦେ’ଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡା, ସାଂସଦ ଭର୍ତ୍ତୃହରି ମହତାବ, ବରିଷ୍ଠ ନେତା ସମୀର ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ସେପଟେ ଭେଟରାନ୍‌ ନେତାଙ୍କ ବିୟୋଗରେ କଟକ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି । ଆଜି ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ କଟକ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । କଟକ ଖାନ୍‌ନଗର ମଶାଣିରେ ସ୍ବର୍ଗତଃ ସମୀର ଦେ’ଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଏ ନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି । ସ୍ୱର୍ଗତ ଦେ’ଙ୍କ ମରଶରୀର ପ୍ରଥମେ ଓଡ଼ିଶା ବିଧାନସଭାକୁ ନିଆଯିବ। ସେଠାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବ। ସେଠାରେ ଦଳୀୟ କର୍ମକର୍ତ୍ତା ଶେଷ ଦର୍ଶନ କରିବେ। ତା’ପରେ ମରଶରୀରକୁ କଟକ ପୈତୃକ ଘରକୁ ଅଣାଯିବ। ସେଠାରୁ ଖାନ୍‌ନଗର ମଶାଣି ନିଆଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ କରାଯିବ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା