ମଙ୍ଗଳା ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କ ମନମାନି ଯୋଗୁଁ ବିପର୍ଯ୍ୟସ୍ତ ଅବସ୍ଥାରେ ଶିକ୍ଷା ବ୍ୟବସ୍ଥା…

କାକଟପୁର, (ଏଫ୍ଟୁଏସ୍/ ମାନସ ଦିକ୍ଷିତ) : ୧୯୭୮ ମସିହାରୁ କାକଟପୁର ସେବକ ସମିତି ଓ କାକଟପୁର ଅଞ୍ଚଳବାସୀଙ୍କ ପ୍ରଚେଷ୍ଟାରେ ଗଢି ଉଠିଥିବା ପୁରୀ ଜିଲ୍ଲାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ମଙ୍ଗଳା ମହାବିଦ୍ୟାଳୟରେ ବ୍ୟାପକ ଅନିୟମିତତା ଯୋଗୁଁ ଶିକ୍ଷା ଓ ପରିଚାଳନା ଗତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ଏପରିକି ଅଧ୍ୟପାକ ଓ ଅଧ୍ୟାପିକାମାନେ ନିୟମିତ ୭ ଘଣ୍ଟା ଅଧ୍ୟାପନା ପାଇଁ ସରକାରଙ୍କ ସ୍ପଷ୍ଟ ନିଦେ୍ର୍ଦଶ ଥିବା ସହ ବାୟୋମେଟ୍ରିକ ଥିଲେ ମଧ୍ୟ ଏଠାରେ ଏହି ନିୟମକୁ ଫୁ କରି ଉଡାଇ ଦିଆଯାଉଛି । ଏଠାରେ କେଉଁ କର୍ମଚାରୀ କେତେବେଳେ ଆସନ୍ତି ଓ କେତେବେଳେ ଯାଆନ୍ତି ତାହା କେବଳ ଅଧକ୍ଷଙ୍କୁ ଜଣା । ଅଧ୍ୟକ୍ଷଙ୍କୁ ଖୁସି କରାଇ କିଛି ଅଧ୍ୟପାକ ଅଧ୍ୟାପିକା ଶ୍ରେଣୀ ଗୃହରେ ପାଠ ନ ପଢାଇ ବିଭିନ୍ନ କୋଚିଂ ସେଣ୍ଟରରେ ଖୋଲା ଖୋଲି ଶିକ୍ଷା ଦାନ କରୁଛନ୍ତି । ଫଳରେ ଏଠାରେ ପ୍ରାୟ ସମୟ କ୍ଲାସ ନ ହୋଇ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ରୂପେ ଭୁଶୁଡି ପଡିଛି ବୋଲି ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ ଅଭିଯୋଗ କରିଆସୁଛନ୍ତି ।
ଏହି ମହାବିଦ୍ୟାଳୟର କିଛି ଅଧ୍ୟପାକ ପାଠ ନ ପଢାଇ ବିଭିନ୍ନ କାମ ବାହାନାରେ ଭୁବନେଶ୍ୱର ଯାଉଛନ୍ତି ଓ ପ୍ରତ୍ୟେକ୍ଷ ରାଜନୀତିରେ ସକ୍ରିୟ ରହିଛନ୍ତି, ଯାହାର ଅନୁସନ୍ଧାନ କଲେ ବାସ୍ତବ ସତ୍ୟ ପଦାକୁ ଆସିପାରିବ । ମହାବିଦ୍ୟାଳୟରେ ପରିଚାଳନାଗତ ତ୍ରୁଟି ଓ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ଜାଣି ସୁଦ୍ଧା ପରିଚାଳନା କମିଟି ସଭାପତି କେବଳ ଠିକା ଅଧ୍ୟାପକଙ୍କୁ ନିଯୁକ୍ତି ଦେବାକୁ ପ୍ରାଧାନ୍ୟ ଦେଉଥିବାବେଳେ ଅନ୍ୟ ସମସ୍ୟା ପ୍ରତି ଆଖି ବୁଝି ଦେଉଛନ୍ତି । କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କ ଆବଶ୍ୟକତା ନଥାଇ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦେଇ କଲେଜ ରାଜକୋଷରୁ ଅଯଥା ଲକ୍ଷ ଲକ୍ଷ ଟଙ୍କା ଅପବ୍ୟୟ ହେଉଥିବା ଜାଣିବାକୁ ମିଳିଛି । କଲେଜ ଚାଲୁଥିବା ସମୟରେ କିଛି କର୍ମଚାରୀ ଓ ଅଧ୍ୟାପକ ନିୟମିତ ମଦ୍ୟପାନ କରି କଲେଜ ପରିସରରେ ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି ବୋଲି ଛାତ୍ରଛାତ୍ରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ଏପରିକି କିଛି ଅସାଧୁ ବ୍ୟକ୍ତି କଲେଜର କିଛି କର୍ମଚାରୀଙ୍କୁ ଧରି କଲେଜର ସମ୍ପତିକୁ ହଡପ କରିବାକୁ ମସୁଧା ଚଳାଇଛନ୍ତି ବୋଲି କଲେଜର କିଛି କର୍ମଚାରୀ ନିଜ ନାମକୁ ଗୋପନ ରଖି ପ୍ରକାଶ କରୁଥିବା କଥା ବିଭିନ୍ନ ଛକ ବଜାରରେ ଶୁଣିବାକୁ ମିଳୁଛି । ଏହି ଗୁଞ୍ଜରଣ ଶୁଣିଲା ପରେ କାକଟପୁର ସେବକ ସମିତି, ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ପୁରୀ ଜିଲ୍ଲାପାଳ ଓ ଉଚ୍ଚ ଶିକ୍ଷା ବିଭାଗ କଲେଜଟିକୁ ବଞ୍ଚାଇବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବୁଦ୍ଧିଜୀବୀ ଓ କାକଟପୁର ମଙ୍ଗଳା ମନ୍ଦିରର ସେବାୟତ ନିଯୋଗ ଦୃଢ଼ ଦାବି କରିଛନ୍ତି ।