ହିନ୍ଦୋଳ ବ୍ଲକରେ ପୂଜ୍ୟପୂଜାଙ୍କୁ ଅସମ୍ମାନ

ଶୌଚାଳୟ ପାର୍ଶ୍ୱରେ ଅବହେଳିତ ଅବସ୍ଥାରେ ରହିଛି ଜାତିର ଜନକ ଓ ଓଡିଶାର ବରପୁତ୍ରଙ୍କ ତୈଳଚିତ୍ର
ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ବରପୁତ୍ରଙ୍କୁ ଅସମ୍ମାନ । ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ପୂର୍ବ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତଙ୍କ ଉଦ୍ୟମରେ ବ୍ଲକର ନବୀକରଣ ହୋଇ ଭବ୍ୟ କାର୍ଯ୍ୟାଳୟ ନିର୍ମାଣ ସହ ନିର୍ମିତ ହୋଇଥିଲା ବିଜୁ ସଭାଗୃହ । ଚଳିତ ନିର୍ବାଚନ ପୂର୍ବରୁ ଏହି ସଭାଗୃହରେ ପୂଜା ପାଉଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଦେଶର ସ୍ୱାଧୀନତା ସଂଗ୍ରାମୀ ବରପୁତ୍ର ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ତେବେ ପୂଜ୍ୟପୂଜା ବରପୁତ୍ରଙ୍କ ତୈଳଚିତ୍ର ସଭାଗୃହ ଉଭୟ ପାର୍ଶ୍ୱରେ ଶୋଭା ପାଉଥିବାବେଳେ ସଭାଗୃହରୁ ବାହାର କରିନିଆଯାଇ ଏବେ ଅତି ଦୟନୀୟ ଅବସ୍ଥାରେ ବିଶ୍ରାମ ଗୃହ ଶୌଚାଳୟକୁ ଲାଗି ଦୁଇଟି ଫୋଟୋକୁ ଏକ କୋଣରେ କାଠ ଷ୍ଟୁଲ ଉପରେ ଅବହେଳିତ ଅବସ୍ଥାରେ ରଖିଦିଆଯାଇଛି ।
ସେଠାକୁ ବହୁ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ଜନପ୍ରତିନିଧି, ରାଜନେତା ଆସୁଥିବାବେଳେ କିଭଳି ଏଥିପ୍ରତି ନଜର ଦେଉନାହାନ୍ତି ତାହା ଆଶ୍ଚର୍ଯ୍ୟ ଚକିତ କରିଛି । ଦୂରଦୃଷ୍ଟିର ଅଭାବ ସାଙ୍ଗକୁ ହୀନ ରାଜନୀତି ପାଇଁ ପୂଜ୍ୟ ପୂଜାଙ୍କୁ ଜାଣିଶୁଣି ଶୌଚାଳୟ ପାର୍ଶ୍ୱରେ ଅବହେଳିତ କରି ରଖା ଯାଇଥିବା ବେଳେ ଏହା କାହା ଇଂଗିତରେ କରାଯାଇଛି ପ୍ରଶ୍ନ ଉଠିଛି । ବ୍ଲକ କାର୍ଯ୍ୟାଳୟକୁ ବିଭିନ୍ନ ପଞ୍ଚାୟତରୁ ପ୍ରତିଦିନ ବହୁ ଜନସାଧାରଣ ଅନେକ କାମ ପାଇଁ ଆସୁଥିବା ବେଳେ ଦୁଇ ମହାନ ବରପୁତ୍ରଙ୍କ ତୈଳ ଫଟୋ ଚିତ୍ରକୁ ଏହିଭଳି ଅବହେଳିତ ଅବସ୍ଥାରେ ଦେଖି ନିନ୍ଦା କରିଛନ୍ତି । ବ୍ଲକ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ଯଥା ଶୀଘ୍ର ଦୁଇ ପୂଜ୍ୟ ପୂଜାଙ୍କୁ ସମ୍ମାନର ସହ ଯଥା ସ୍ଥାନରେ ରଖି ଉଚିତ୍ ସମ୍ମାନ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।