ବିପୁଳ ପରିମାଣର ବାଣ ଓ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ, ୨ ଅଟକ…

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ବାଇଁ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବଙ୍କୋଇ ଫାଣ୍ଡି ଅନ୍ତର୍ଗତ ରାଜସୁନାଖଳା କାଉଁରୀ ପାଟଣା ସାହିରୁ ବିପୁଳ ପରିମାଣର ବାଣ ଓ ବାଣ ପ୍ରସ୍ତୁତି ସାମଗ୍ରୀ ଜବତ । ଏହି ଘଟଣାରେ ବୋଲଗଡ଼ ଥାନା ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖିଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆଇଆଇସି ସ୍ନିଗ୍ଧାମୟୀ ବରାଳ ସୂଚନା ଦେଇଛନ୍ତି । ଆଗକୁ ଦୀପାବଳୀ ରହିଥିବା ବେଳେ ଚୋରା ବାଣ ବେପାରୀମାନେ ଲୁକାୟିତ ଭାବରେ ବାଣ ପ୍ରସ୍ତୁତି କରିବା ସହିତ ଚୋରାରେ ବିକ୍ରି କରିବାରେ ଲାଗିପଡିଛନ୍ତି । ସରକାର ବିସ୍ଫୋରଣ ନିରୋଧ ଆଇନ ଅନୁଯାୟୀ ଉଚ୍ଚ ଶବ୍ଦକାରୀ ବାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବେଆଇନ ଭାବରେ ବାଣ ପ୍ରସ୍ତୁତ ଓ ବିକ୍ରିକାରୀଙ୍କୁ ଧରିବାକୁ ପୁଲିସ୍ ଉଦ୍ୟମ ଜାରି ରଖିଛି । ସୂଚନା ଅନୁଯାୟୀ ଖୋର୍ଦ୍ଧା ଏସପି ସୁଶ୍ରୀ ସାଗରୀକା ନାଥଙ୍କ ନିର୍ଦେଶକ୍ରମେ ବୋଲଗଡ଼ ଥାନା ଅଧିକାରିଣୀ ଶ୍ରୀମତୀ ବରାଳଙ୍କ ନେତୃତ୍ୱରେ ଥାନା ପୁଲିସ୍ ଏବଂ ବାଙ୍କୋଇ ଫାଣ୍ଡି ପୁଲିସ୍ ସଦଳବଳେ ବଡ଼କୁମାରୀ ପଞ୍ଚାୟତ ରାଜସୁନାଖଳା କାଉଁରୀ ପାଟଣା ସାହିର ଗୋଟିଏ ଘରୁ ଚଢ଼ାଉ କରି ବିପୁଳ ପରିମାଣର ବାଣ ଓ ବାଣ ସାମଗ୍ରୀକୁ ଜବତ କରିଛି । ଜବତ ସାମଗ୍ରୀ ମଧ୍ୟରେ ବିପୁଳ ପରିମାଣର ବାରୂଦ ଓ ଗନ୍ଧକ ରହିଥିବା ସୂଚନା ମିଳିଛି ।