କାହାର ରିପୋର୍ଟ ଠିକ୍ ! ଲୋକଙ୍କ ଜୀବନ ସହ ଖେଳୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି…

ଧର୍ମଗଡ, (ଏଫ୍ଟୁଏସ୍/ ନିକୁଞ୍ଜ ଚଲାନ) : ପଥର ମାଫିଆଙ୍କ ଯୋଗୁଁ ସ୍ଥାୟୀତ୍ବ ହରାବାରେ ଲାଗିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମତୁଆଲଗୁଡାର ବାମ ମୁଖ୍ୟ କେନାଳ ପୋଲ । ଏହି ପୋଲ ଦେଇ ଡୋକରି ଡଙ୍ଗର ପାହାଡ଼ ସଂଯୁକ୍ତ । ଉକ୍ତ ପୋଲ ଦେଇ ମାଫିଆଙ୍କ ଭାରିଯାନ ଗାଡି ଅନବରତ ଭାବେ ଯାଆ-ଆସ କରିବା କାରଣରୁ ଏହା ଏବେ ଭାଙ୍ଗିବାକୁ ବସିଛି । ଏ ନେଇ ଜଣେ ସ୍ୱଚ୍ଛ।ସେବୀ ସଂଗଠନ ପକ୍ଷରୁ କୁସୁମଖୁଣ୍ଟି ବାମ କେନାଳ ଡିଭିଜନରେ ଗତ ସେପ୍ଟେମ୍ବର ୧୧ରେ ଉକ୍ତ ପୋଲକୁ ଭଙ୍ଗାପୋଲ ଘୋଷଣା କରିବା ସହିତ ବାର ଲଗାଇ ଭାରିଯାନ ଚଳାଚଳ ନିଷେଧ କରିବା ଲାଗି ଅଭିଯୋଗ କରିଥିଲେ । କିନ୍ତୁ କୁସୁମଖୁଣ୍ଟି ବାମ କେନାଳ ଡିଭିଜନରେ ଥିବା ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ତୃପ କୁମାର ପାତ୍ର ଏହି ପୋଲକୁ ସ୍ଥାନୀୟ କ୍ରସର ମାଲିକଙ୍କ ପ୍ରରୋଚନାରେ ପଡି ଲୋକ ଦେଖାଣିଆ ଭାବରେ ଗୋଟିଏ ନୋଟିସ କରି ଛାଡି ଦେଇଥିବା ଦେଖିବାକୁ ମିଳିଛି । ତେବେ ଏହି ନୋଟିସ୍ କେବଳ କାଗଜରେ ପ୍ରିଣ୍ଟ ହୋଇ ଲାଗିଥିବା ଦେଖିବାକୁ ମିଳିଛି ।

ଯଦି ଉକ୍ତ ପୋଲ ଦେଇ ଯାତାୟତ ସମୟରେ କୌଣସି ବ୍ୟକ୍ତି ବିଶେଷଙ୍କ ଧନ-ଜୀବନ କ୍ଷତି ହୁଏ, ତେବେ ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ଜନସାଧାରଣ । ସେପଟେ ଲେଟର ନମ୍ବର 2204W/E ତା-୧୭/୦୯ରେ ନୋଟିସ୍ କରି ଅଧିକ୍ଷଣ ଯନ୍ତ୍ରୀ ମହୋଦୟ ଜନସାଧାରଣଙ୍କୁ ଲଲିପପ୍ ଦେଖାଉଥିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ତଥ୍ୟ ଅନୁସାରେ, ଉକ୍ତ ପୋଲ ଦେଇ ଅଞ୍ଚଳର ଚାଷୀ, ଗାଈ ଗୋରୁ ଚରାଳୀ, ଜାଳେଣି ସଂଗ୍ରହକାରୀ ବ୍ୟକ୍ତି ବିଶେଷ ଯାତାୟତ କରନ୍ତି । ଏହାସହ ପାହାଡ଼ ଶୀର୍ଷରେ ଥିବା ମା ଡୋକରୀ ଦେବୀଙ୍କ ଦର୍ଶନ ପାଇଁ ମଧ୍ୟ ଭକ୍ତ ଏହି ପୋଲ ଉପରେ ନିର୍ଭର କରନ୍ତି । ବିଗତ ଦିନରେ ଖୋଦ୍ କୁସୁମଖୁଣ୍ଟି କେନାଲ ଡିଭିଜନ ପକ୍ଷରୁ ଭଙ୍ଗା ପୋଲ ସାବଧାନ, ଯାନ ଚଳାଚଳ ନିଷେଧର ବୋର୍ଡ ମାରିବା ସହିତ ନାଲି ଫିତା ଦେଇ ଗାଡି ଚଳାଚଳ ନିଷେଧ ରଖିଥିଲା । ତେବେ ବର୍ତ୍ତମାନ କେଉଁ ସ୍ୱାର୍ଥ ସାଧନ ପାଇଁ ଅନବରତ ଭାରିଯାନ ଚଳାଚଳ ପ୍ରତି ଅଙ୍କୁଶ ଲଗାଯାଉ ନାହିଁ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ମିଳିଥିବା ସୂଚନାରୁ ପ୍ରକାଶ ଯେ ଗତ ୨୪/୦୫/୨୦୨୪ରେ ଉକ୍ତ ପୋଲ ଭାଙ୍ଗି ଯିବାନେଇ ତତ୍କାଳୀନ ଜେଇ ଶ୍ରୀ କଳାକାର ବାଗ ଭଙ୍ଗା ପୋଲ ଘୋଷଣା କରିଥିଲେ । ମାତ୍ର ପରେ କୁସୁମଖୁଣ୍ଟି ଅଧିକ୍ଷଣ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀ ଜଣେ ନିର୍ଦ୍ଧିଷ୍ଟ କ୍ରସର ମାଲିକଙ୍କୁ ସୁହାଇଲା ଭଳି ଚିଠି ନଂ ୨୪୨୨/ ତା -୧୭/୧୦/୨୦୨୪ରେ ଦର୍ଶାଇଛନ୍ତି ଯେ ଏହି ବ୍ରିଜ ବା ପୋଲ ସମ୍ପୃର୍ଣ୍ଣ ଠିକ ଅଛି । ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ କରି ଲୋକହ୍କ ଜୀବନ ସହ ଖେଳୁଥିବା ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।