ସଫଳତାର ଅନ୍ୟନାମ କଠିନ ଅଧ୍ୟବସାୟ: ଜଗନ୍ନାଥ ପାଢୀ…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଦୃଢ ଇଚ୍ଛା ଶକ୍ତି, କଠିନ ଅଧ୍ୟବସାୟ ଏବଂ ସଫଳ ହେବାର ମନୋଭାବ ହେଉଛି ତାଙ୍କର ପ୍ରେରଣା । ବିଫଳତାକୁ ସଫଳତାର ସିଡି କରିବା ଆଗେଇବା ଥିଲା ତାଙ୍କର ମୂଳମନ୍ତ୍ର । ଚଳିତ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୨ ରେ ୨୯୯ ରାଙ୍କ ରଖି ଜିଲା ପାଇଁ ଗୌରବ ଆଣିଛନ୍ତି ଜଗନ୍ନାଥ ପାଢୀ । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ତାକରଡା ଗ୍ରାମର ଗୋପାଳକୃଷ୍ଣ ପାଢୀ ଏବଂ ଜାନକୀ ପାଢୀଙ୍କ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଜଗନ୍ନାଥ । ଜଗନ୍ନାଥଙ୍କ ସଫଳତା ପରେ ତାଙ୍କ ନିକଟକୁ ଛୁଟିଛି ପ୍ରଶଂସାର ସୁଅ ।
ବାପା-ମା ଏବଂ ନିଜର ୪ ଭାଇ ଭଉଣୀଙ୍କ ସହ ନିମ୍ନ ମଧ୍ୟବିତ୍ ପରିବାରରେ ରହି ଜୀବନର ସଂଘର୍ଷକୁ ଅତି ନିକଟରୁ ବୁଝିଛନ୍ତି ଜଗନ୍ନାଥ । ବାପାଙ୍କର ସ୍ୱଳ୍ପ ଅର୍ଥ ଏବଂ ମାଆଙ୍କର ବଳିଷ୍ଠ ସଂସ୍କାର ତାଙ୍କୁ ଏକ ସରଳ ଏବଂ ପରୋପକାରୀ ମଣିଷ କରିଛି । ପିଲାବେଳୁ ମେଧାବୀ ଛାତ୍ର ଭାବେ ସେ ନିଜର ଅଧ୍ୟବସାୟ ଆରମ୍ଭ କରିଥିଲେ । ତାଙ୍କର ମୂଳଦୁଆ ପଡିଥିଲା ତାକରଡା ସହିଦ ହାଇସ୍କୁଲରେ । ସେଠାରେ ଶୃଙ୍ଖଳିତ ଛାତ୍ର ଜୀବନ ଏବଂ ପିତା-ମାତାଙ୍କ ସରଳ ଜୀବନଶୈଳୀ ତାଙ୍କୁ ପ୍ରେରିତ କରିଥିଲା ଜୀବନରେ ସଫଳତା ହାସଲ କରିବା ପାଇଁ । +୨ ଏବଂ ପରେ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବିଟେକ୍ ପାସ୍ କରିଥିଲେ ।
ପିଲାବେଳୁ ଦେଖିଆସିଥିବା ସଂଘର୍ଷ ଏବଂ ଅସହାୟ ତଥା ନିରାଶ୍ରୟ ବୃଦ୍ଧବୃଦ୍ଧା, ମହିଳାମାନଙ୍କ ପାଇଁ ସମାଜରେ କିଛି କରି ପକାଇବାର ସ୍ପୃହା ତାଙ୍କୁ ଆନ୍ଦୋଳିତ କରିଥିଲା । +୨ ପାଠ ପଢିବା ସମୟରେ ଜଗନ୍ନାଥ, ବର୍ତ୍ତମାନ ପୁରୀ ଜିଲ୍ଲାରେ ସିଟି ଡିଏସ୍ପି ଭାବେ କାର୍ଯ୍ୟରତ ପ୍ରଶାନ୍ତ କୁମାର ସାହୁଙ୍କ ସଂସ୍ପର୍ଶରେ ଆସିଥିଲେ । ଶ୍ରୀ ସାହୁଙ୍କଠାରୁ ପ୍ରେରଣା ପାଇବା ପରେ ତାଙ୍କରି ମାର୍ଗଦର୍ଶନରେ ଆରମ୍ଭ ହୋଇଥିଲା ଜଗନ୍ନାଥଙ୍କ କଠିନ ଅଧ୍ୟବସାୟ ଏବଂ ଧର୍ଯ୍ୟର ପରୀକ୍ଷା । ଶେଷରେ ସମସ୍ତ କଣ୍ଟକିତ ପଥକୁ ଅତିକ୍ରମ କରି ଆଜି ସଫଳତାର ପାଦ ସ୍ପର୍ଶ କରିଛନ୍ତି ଜଗନ୍ନାଥ । ଆଗାମୀ ଦିନରେ ସେ ବେରୋଜଗାର ଯୁବପିଢୀଙ୍କ ପାଇଁ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିବେ ବୋଲି ଆଶା ରଖିଛନ୍ତି ।