ବୈଷ୍ଣବ ପାଣିଙ୍କୁ ଭାରତରତ୍ନ ପାଇଁ ଉଠିଲା ଦାବୀ

ମାହାଙ୍ଗା, (ଏଫ୍ଟୁଏସ୍/ ଅଭୟ ଜେନା) : ଓଡିଆ ଭାଷାରେ ଶହଶହ ଗୀତିନାଟ୍ୟ ସୃଷ୍ଟି କରିଛନ୍ତି ଗଣକବି ବୈଷ୍ଣବ ପାଣି । ତା’ଙ୍କ ନାଟକ ଯେମିତି ଜୀବନ୍ତ, ସେମିତି ବାସ୍ତବଧର୍ମୀ । ଯାହାକୁ ଶହେ ବର୍ଷ ପରେ ମଧ୍ୟ ଲୋକେ ରାତି ଉଜାଗର ରହି ଦେଖୁଛନ୍ତି । ଗଣକବି ଥିଲେ ଜଣେ କ୍ରାନ୍ତିକାରୀ ଲେଖକ । ବ୍ରିଟିଶ ସରକାରଙ୍କଠାରୁ ରାୟ ବହାଦୁର ଉପାଧି ଗ୍ରହଣ କରିବାକୁ ତା’ଙ୍କ ନାଆଁ ବହୁବାର ସୁପାରିଶ ହୋଇଥିଲା । ତେବେ ସରକାରୀ ବିରୋଧି ଆଭିମୁଖ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ଏହି ଲେଖକଙ୍କୁ ଅନେକ ତ୍ୟାଗ କରିବାକୁ ପଡିଥିଲା । ବ୍ରିଟିଶ ସରକାରଙ୍କ ଏହି ଉପାଧି ପ୍ରଦାନ ପ୍ରୟାସକୁ ସେ ରୋକଠୋକ ପ୍ରତ୍ୟାଖ୍ୟାନ କରିଥିବା କୁହାଯାଏ । ଜଣେ ସ୍ପଷ୍ଟବାଦୀ ଓ ନିର୍ଭିକ ତଥା ସଂଗ୍ରାମୀ ମଣିଷ ଭାବେ, ସାହିତ୍ୟ ମାଧ୍ୟମରେ ପରାଧିନ ଓଡିଆ ଜାତିକୁ ଏକାଠି କରିବାରେ, ବୈଷ୍ଣବ ପାଣିଙ୍କ ଅତୁଳନୀୟ ଯୋଗଦାନ, ସବୁଦିନ ପାଇଁ ମନେ ରହିବ । ଏଭଳି ଜଣେ ଧୂରୀଣ ସାରସ୍ୱତ ସ୍ରଷ୍ଠାଙ୍କୁ ଭାରତରତ୍ନ ପ୍ରଦାନ କରାଯାଉ ବୋଲି କବିଙ୍କ ଜୟନ୍ତୀ ଜନ୍ମଦିନରେ ମାହାଙ୍ଗାରୁ ଜୋରଦାର ଦାବୀ ହୋଇଛି ।
ସାମାଜିକ କର୍ମୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବାସୁଦେବପୁର ହାଇସ୍କୁଲ ପ୍ରାଙ୍ଗଣରେ ଆୟୋଜିତ ଜୟନ୍ତୀ ସଭାରେ ସାହିତି୍ୟକ ଡକ୍ଟର ଭାଗବତ ଶୁକ୍ଲା ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ । ପାଣି ସାହିତ୍ୟକୁ ବିଶ୍ୱର ସର୍ବଶ୍ରେଷ୍ଠ ଗଣସାହିତ୍ୟ ବୋଲି ଶ୍ରୀ ଶୁକ୍ଲା କହିଥିଲେ । ମାହାଙ୍ଗା ବିକାଶ ପରିଷଦ ଅଧ୍ୟକ୍ଷ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅର୍ଦ୍ଧ ଶତାବ୍ଦୀ ଧରି ସାହିତ୍ୟ ସାଧନାରେ ନିମଗ୍ନ ଗଣକବିଙ୍କୁ ଭାରତରତ୍ନ ପାଇଁ ଚୟନ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବୋଲି ମତ ଉପସ୍ଥାପନା କରିଥିଲେ । ସମ୍ମାନୀତ ଅତିଥିଭାବେ ଗୀତିକାର ବିଶ୍ୱେଶ୍ୱର ମହାନ୍ତି, ପାଣି ସାହିତ୍ୟର ଗବେଷକ ଡକ୍ଟର କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ, ସମାଜସେବୀ ଅଭୟ ବାରିକ, ଆଇନୀଜୀବୀ ଶୁଭେନ୍ଦୁ ମହାନ୍ତି, କର୍ପୋରେଟର ଗଗନ ବିହାରୀ ଓଝା ଏବଂ ଅରୁଣ ସେଠୀ ପ୍ରମୁଖ ଗଣକବିଙ୍କ କାଳଜୟୀ ସାହିତ୍ୟ ଉପରେ ଆଲୋଚନା କରିଥିଲେ । ସାମ୍ବାଦିକ ଅଖିଳେଶ ମହାନ୍ତି ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଅଶୋକ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନଶିକ୍ଷକ ବିନୋଦ ବିହାରୀ ମିଶ୍ର, ସୁରେଶ ବଳ, ତରୁଣ ମହାନ୍ତି, ନରେଶ ମହାନ୍ତି, ଜ୍ଞାନ ରଞ୍ଜନ ସାହୁ, ସତ୍ୟ ନାରାୟଣ ମହାନ୍ତି, ଅର୍ଚନା ମହାନ୍ତି, ବିକାଶ ବେହେରା, ରାଜଶ୍ରୀ ପ୍ରଧାନ, ସାସ୍ୱତୀ ପାଠିନୀ, ସିପ୍ରା ଦାସ, ବିଜୟଲକ୍ଷ୍ମୀ ମହାନ୍ତି, ତପସ୍ୱିନୀ ସ୍ୱାଇଁ ପ୍ରମୁଖ ଉତ୍ସବ ପରିଚାଳନା କରିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଗଣକବିଙ୍କ ରଚିତ ଗୀତିନାଟ୍ୟ “କର୍ଣ୍ଣଦାନ ପରୀକ୍ଷା” ଏବଂ “ମୋହନ ସୁନ୍ଦର” ମଞ୍ଚସ୍ଥ ହୋଇଥିଲା । କାର୍ଯ୍ୟକ୍ରମରେ ବହୁ ସାହିତ୍ୟ ସଂସ୍କୃତି ପ୍ରେମୀ ଦର୍ଶକ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।