ଓଡିଶା

ଆଗକୁ ଦୀପାବଳି । ମାଟି ଦୀପ ନିର୍ମାଣ କରିବାରେ ବ୍ୟସ୍ତ କୁମ୍ଭାର ପରିବାର…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଧର୍ମ ଅର୍ଜନର ମାସ ତଥା ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ ଆଲୋକର ପର୍ବ ଦୀପାବଳି । ଦୀପାବଳୀ ପର୍ବ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ ପାରଳାଖେମୁଣ୍ଡି ଏବଂ ଏହାର ଆଖପାଖ ଅଞ୍ଚଳରେ କୁମ୍ଭକାର ପରିବାର ମାଟିଦୀପ ତିଆରି କରିବାରେ ବ୍ୟସ୍ତ । ପୂର୍ବ ପୁରୁଷରୁ ମାଟିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିକୁ କୌଳିକ ବୃତ୍ତି ଭାବେ ଆଦରି ନେଇଥିବା କୁମ୍ଭକାରଙ୍କ ବେଉସା ଆଧୁନିକତାର ମାଡ଼ରେ ନହଜି ଆଜି ଯାଏଁ ବଞ୍ଚି ରହିଛି । ପୂର୍ବରୁ ମାଟି ପାତ୍ରର ଚାହିଦା ଯଥେଷ୍ଟ ଅଧିକ ଥିଲା । ରନ୍ଧନ ପାଇଁ ଆବଶ୍ୟକ ମାଟି ପାତ୍ରଠାରୁ ଆରମ୍ଭ କରି ମାଠିଆ, ହାଣ୍ଡି, ଗ୍ରୀଷ୍ମଋତୁରେ ପାଣି ଥଣ୍ଡା ରଖିବା ପାଇଁ ସୁରେଇ ଇତ୍ୟାଦି ପ୍ରସ୍ତୁତ କରି କୁମ୍ଭକାର ପରିବାର ବେଶ୍ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । ସଭ୍ୟତାର ବିକାଶ ସହିତ ଆରମ୍ଭ ହୋଇଛି ଷ୍ଟିଲ ଯୁଗ । ରନ୍ଧନ ପାଇଁ ସାଧାରଣ ଲୋକେ ମାଟି ପାତ୍ରକୁ ଭୁଲି ଷ୍ଟିଲ ନିର୍ମିତ ବାସନ କୁସନ ବ୍ୟବହାର କରିବାକୁ ପସନ୍ଦ କଲେଣି । ଏଭଳି ପରିସ୍ଥିତରେ କୁମ୍ଭକାରଙ୍କ ବୃତ୍ତି ପ୍ରତି ସଙ୍କଟ ସୃଷ୍ଟି ହୋଇଛି । ତଥାପି କୌଳିକ ବୃତିକୁ ବଞ୍ଚାଇ ରଖିବାପାଇଁ ଏବେବି ସଙ୍ଘର୍ଷ ଜାରୀ ରଖିଛନ୍ତି କୁମ୍ଭକାର ପରିବାର ।

ଇିଶେଷ କରି ପର୍ବପର୍ବାଣୀରେ କୁମ୍ଭକାରଙ୍କୁ ସାଧାରଣ ଲୋକେ ମନେ ପକାଇଥାନ୍ତି । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଏମିତି କିଛି ସାମଗ୍ରୀ ରହିଛି ଯାହା ପୂଜା ବ୍ରତ ସକାଶେ ନିତାନ୍ତ ଜରୁରୀ । ଅଧିକାଂଶ ପର୍ବପର୍ବାଣୀରେ ମାଟି ହାଣ୍ଡିର ଆବଶ୍ୟକତା ରହିଥିବା ବେଳେ ଏବେବି କିଛି ଗ୍ରାମାଞ୍ଚଳର କିଛି ଜନସାଧାରଣ ରୋଷେଇ ସକାଶେ ମାଟି ହାଣ୍ଡି ବ୍ୟବହାର କରିଥାନ୍ତି । ଆଧୁନିକତା ଯୁଗରେ ଜାଗର ଯାତ୍ରା ପାଳନ ସକାଶେ ରଙ୍ଗ ବେରଙ୍ଗର ଆଲୋକ ସଜ୍ଜିତ ବିଦ୍ୟୁତ୍ ଦୀପ ମିଳୁଥିଲେ ମଧ୍ୟ ମାଟି ଦୀପର ଚାହିଦା ଏବେବି ବଞ୍ଚି ରହିଛି । ବର୍ଷତମାମ ବେକାରରେ ରହୁଥିବା କୁମ୍ଭକାର ପରିବାରଙ୍କ ପାଇଁ ଆଲୋକର ପର୍ବ ଦୀପାବଳି ରୋଜଗାର ସୃଷ୍ଟି କରିଥାଏ । ଦୀପାବଳୀର ମାସକ ପୂର୍ବରୁ କୁମ୍ଭକାର ପରିବାରର ସମସ୍ତ ସଦସ୍ୟ ଲାଗି ପଡ଼ିଥାନ୍ତି ମାଟି ଦୀପ ପ୍ରସ୍ତୁତିରେ । ଗୋଷାଣୀ ବ୍ଲକର କୁମ୍ଭକାର ପରିବାର ଓ ପାରଳାଖେମୁଣ୍ଡି ସହରର ପରିବାର ଏବେ ମାଟିଦୀପ ତିଆରିରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି । ତେବେ ମାଟିରେ ବିଭିନ୍ନ ଜିନିଷ ପ୍ରସ୍ତୁତ କରିବାକୁ ବୃତ୍ତି ଭାବେ ଆଦରି ନେଇଥିବା କୁମ୍ଭକାର ପରିବାରଙ୍କ ପାଇଁ ସରକାର କୌଣସି ପ୍ରକାର ଯୋଜନା କାର୍ଯ୍ୟକାରୀ କରିନଥିବାରୁ ଏହି ବୃତ୍ତି ଆଗାମୀ ଦିନରେ ଲୋପ ପାଇବା ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ ବୋଲି ବୁଦ୍ଧୀଜୀବି ମହଲରେ ମତ ପ୍ରକାଶ ପାଇଛି ।
କୌଳିକ ବୃତିକୁ ବଞ୍ଚାଇବା ଲାଗି କୁମ୍ଭକାର ଚକ ଘୁରୁଥିଲେ ମଧ୍ୟ ଉପାର୍ଜନ ଯଥେଷ୍ଟ ପରିମାଣରେ ହେଉନଥିବା ଯୋଗୁଁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ୁଛି ବୋଲି ବହୁ କୁମ୍ଭକାର ପରିବାର କହିଛନ୍ତି । ଦୀପାବଳୀ ପର୍ବରେ ମାଟି ଦୀପ ତିଆରି କରି କିଛିଟା ଅଧିକ ରୋଜଗାର କରିବାକୁ ଚାହିଁ ବସିଥିବା ବେଳେ ଆଧୁନିକତାର ଛାପରେ ଲୋକମାନେ ବିଭିନ୍ନ ପ୍ରକାରର ଚାଇନା ଓ ପ୍ଳାଷ୍ଟର ଅଫ୍ ପ୍ୟାରିସରେ ପ୍ରସ୍ତୁତ ଦୀପ ବଜାରରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା ବେଳେ ମାଟି ଦୀପର ଚାହିଦା ମଧ୍ୟ ଏକ ପ୍ରକାର ବୁଡ଼ିବାକୁ ବସିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା