ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା…

ବ୍ୟୁରୋ ଏଫ୍ଟୁଏସ୍ : ‘ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ରାଜ୍ୟର ନିଜସ୍ଵ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ । ଉଭୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ ।’ ଏ ନେଇ ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ନେଇ ପୂର୍ବରୁ ମୋହନ ସରକାର ଘୋଷଣା କରିସାରିଛନ୍ତି ।
ଆୟୁଷ୍ମାନ ଭାରତରେ ରାଜ୍ୟରେ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସୁବିଧା ପାଇବେ । ବର୍ତ୍ତମାନ ରାସନ୍ କାର୍ଡ ପାଇଁ E-KYC ଚାଲିଛି । ଏହା ସରିବା ପରେ ରାଜ୍ୟର କେତେ ସଂଖ୍ୟକ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ରହିଛନ୍ତି ତାହା ସ୍ପଷ୍ଟ ହେବ । ପୂର୍ବରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ଟି ହସ୍ପିଟାଲରେ ସ୍ବାସ୍ଥ୍ୟ ବୀମୀର ସୁବିଧା ମିଳୁଥିଲା । ଏଣିକି ସମଗ୍ର ଦେଶରେ ୨୭ ହଜାରରୁ ଊର୍ଦ୍ଧ୍ୱ ଅନୁବନ୍ଧିତ ହସ୍ପିଟାଲରେ ସ୍ବାସ୍ଥ୍ୟ ସେବା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ତଥ୍ୟ ଅନୁସାରେ, ଚଳିତ ବଜେଟରେ ବିଜେଡି ସରକାରର ବହୁଚର୍ଚ୍ଚିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନାଁ ପରିବର୍ତ୍ତନ ହୋଇ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ କରାଯାଇଛି ।