ମୃତ୍ୟୁ ପରେ ବି ଅମର ହେଲେ ନରେଶ ପଟ୍ଟନାୟକ, ଅଙ୍ଗଦାନ କରି ଅନ୍ୟକୁ ଦେଲେ ଜୀବନ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଜୀବନ ପରୀକ୍ଷାରେ ସିନା ହାରିଗଲେ, ହେଲେ ମୃତ୍ୟୁ ପରେ ବି ଅମର ହେଲେ ନରେଶ ପଟ୍ଟନାୟକ । ନିଜ ଜୀବନ ଗଲା ପରେ ବି ଅନ୍ୟ କିଛି ଲୋକଙ୍କ ଦେହରେ ଜୀବିତ ହୋଇ ରହିବେ ନରେଶ । କିଏ କହିଲା ମଣିଷର ମୃତ୍ୟୁ ପରେ ତାର ସ୍ଥାନ ସ୍ମଶାନରେ ବୋଲି । ତାହାକୁ ଭୁଲ୍ ପ୍ରମାଣିତ କରି ଅଙ୍ଗଦାନ କରିଛନ୍ତି ନରେଶଙ୍କ ପରିବାର । ଏଥିପାଇଁ ଜଣେ ହୃଦୟବାନ ବ୍ୟକ୍ତି ହେବା ନିହାତି ଆବଶ୍ୟକ । ଏହିପରି ଜଣେ ପରୋପକାରୀ, ହୃଦୟବାନ ବ୍ୟକ୍ତି ହେଉଛନ୍ତି ନରେଶ ପଟ୍ଟନାୟକଙ୍କ ପରିବାର । ତାଙ୍କ ଘର ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ତେଲି ଗୈଡସାହିରେ । ସେ ମୃତ୍ୟୁ ପୂର୍ବରୁ ଅମର ହୋଇଯାଇଛନ୍ତି । ଆଉ ଅନ୍ୟ ମାନଙ୍କ ପାଇଁ ପାଲଟି ଯାଇଛନ୍ତି ଏକ ଉଦାହରଣ । ନିଜର ସମସ୍ତ ଅଙ୍ଗଦାନ କରି ଅନ୍ୟ କାହା ଜୀବନରେ ଟିକିଏ ହସ ଫୁଟାଇବା ପାଇଁ ସ୍ୱଇଛାରେ ଏଭଳି ନିଷ୍ପତ୍ତି ନେଇଥିବା ପରିବାର ବର୍ଗ କହିଛନ୍ତି । ବିଶ୍ୱାସ ରହିଛି ଯେ “ଅଙ୍ଗଦାନ ମହତ ଦାନ’ । ଜଣେ ବ୍ୟକ୍ତି ମୃତ୍ୟୁ ପରେ ଅମର ରହିବାର ଅନ୍ୟତମ ମହତ ଉପାୟ ହେଉଛି ଅଙ୍ଗଦାନ । ନିଜ ଶରୀର ଦାନ କରି ଆଉ କାହା ମୁହଁରେ ହସ ଦେଖାଇବା ପାଇଁ ମୃତ୍ୟୁ ପୂର୍ବରୁ ସମ୍ପୂର୍ଣ୍ଣ ଅଙ୍ଗଦାନ କରିବାକୁ ଏଭଳି ଏକ ନିଷ୍ପତ୍ତି ନେଇଥିଲେ ନରେଶ ଓ ତାଙ୍କର ପରିବାର ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପୁରୁଣା କୋର୍ଟ ଛକରେ ରୁହନ୍ତି ନରେଶ ପଟ୍ଟନାୟକ (ଚିଣ୍ଟୁ) । ସେ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କୁ ତାଙ୍କ ପରିବାର ଲୋକେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ସ୍ଥିତ ଏକ ଚିକିତ୍ସାଳୟକୁ ନେଇ ଯାଇଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରେନ ଷ୍ଟ୍ରୋକର ଶିକାର ହୋଇ ନରେଶ ନିଜ ଜୀବନ ହାରିଥିଲେ । ପରେ ତାଙ୍କ ପରିବାର ଲୋକେ ନିଜ ପୁଅକୁ ଜୀବିତ ରଖିବା ପାଇଁ ତାଙ୍କର ଅଙ୍ଗ ଗୁଡ଼ିକୁ ଦାନ କରି ଓଡ଼ିଶା ତଥା ଗଜପତି ଜିଲ୍ଲା ପାଇଁ ଗର୍ବ ଆଉ ଗୌରବ ଆଣି ଜିଲ୍ଳାର ପ୍ରଥମ ଅଙ୍ଗଦାନୀ ଭାବେ ସ୍ଥାନ ପାଇଛନ୍ତି । ଏହା ପରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ ଅଙ୍ଗ ଦାନ କରିଥିବା ଯୋଗୁଁ ଏକ ଗୌରବ ମୟ ପ୍ରମାଣ ପତ୍ର ପ୍ରଦାନ କରିବା ସହ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମର ଶରୀରକୁ ପାରଳାଖେମୁଣ୍ଡିକୁ ପଠାଇଥିଲେ । ଏହି ଅବସରରେ ସ୍ଥାନୀୟ ମହେନ୍ଦ୍ର ତନୟା ନଦୀଠାରୁ ଏକ ବିରାଟ ଶୋଭାଯାତ୍ରା ବାହାର କରି ଅମର ଧ୍ୱନି ଦେଇ ଘରକୁ ଅଣାଯାଇଥିଲା । ପୁରୁଣା କୋର୍ଟଠାରୁ ଏକ ଶୋଭାଯାତ୍ରା ବାହାର କରାଯାଇ ନଗର ପରିକ୍ରମା ପୂର୍ବକ ହାତିବାଡି ଶ୍ମଶାନରେ ତାଙ୍କର ଅନ୍ତେଷ୍ଠି କ୍ରିୟାକର୍ମ ସମ୍ପର୍ଣ୍ଣ କରାଯାଇଥିଲା । ଏହି ଅବସରରେ ଦିବଙ୍ଗତଙ୍କୁ ଆନ୍ଧ୍ର ପୋଲିସ ଓ ଓଡ଼ିଶା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।