ବାପା ସାଜିଲା ବଇରୀ, ପାରିବାରିକ କଳହର କରୁଣ ଚିତ୍ର…

ନୂଆପଡା, (ଏଫ୍ଟୁଏସ୍/ କୀର୍ତ୍ତି ଚନ୍ଦ୍ର ନାଗ) : ବାପା ସାଜିଲା ପିଶାଚ । ସ୍ୱାମୀ-ସ୍ତ୍ରୀ ଝଗଡାରେ ବଳି ପଡିଗଲେ ସନ୍ତାନ । ପାରିବାରିକ କଳହର କରୁଣ ପରିଣତି । ବାପାର କୋଳ ହେଲା ପିଲାମାନଙ୍କ କାଳ । ସ୍ୱାମୀ-ସ୍ତ୍ରୀ କଳହ ହେବା ପରେ ସ୍ତ୍ରୀ ନିଜର ତିନି ସନ୍ତାନଙ୍କୁ ଘରେ ଛାଡି ନିଜ ବାପା ଘରକୁ ଚାଲିଗଲେ । ହେଲେ ସେ ଜାଣିନଥିଲେ ଏହାର କରୁଣ ପରିଣତି । ଜନ୍ମକଲା ବାପ ଯେ ନିଜ ସନ୍ତାନ ପାଇଁ କାଳ ସାଜିବ ସେ କଥା କାହାକୁ ଜଣା ନ ଥିଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ବାଗଲୋର କୁଟିଆପଡ଼ା ଗ୍ରାମରେ । କୁଟିଆପଡା ଗ୍ରାମ ହେଉଛି ଏକ ଆଦିବାସୀ ବହୁଳ ଗ୍ରାମ । ଏଠାରେ ନିଜ ପତ୍ନୀ ଜୟନ୍ତୀ ମାଝୀ ଏବଂ ତିନି ସନ୍ତାନ (ଦୁଇ ଝିଅ ଏବଂ ଗୋଟିଏ ପୁଅ)କୁ ନେଇ ବସବାସ କରନ୍ତି କିଶୋର ମାଝୀ । ସୂଚନା ଅନୁସାରେ, ଦୀର୍ଘ ଦିନ ଧରି କିଶୋର, ଜୟନ୍ତୀଙ୍କୁ ଯୌତୁକଜନିତ ନିର୍ଯାତନା ଦେଇଆସୁଥିଲେ । ଏ ନେଇ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା । ଏଥିରେ ଅତିଷ୍ଠ ହୋଇ ଜୟନ୍ତୀ ଘର ଛାଡି ବାପା ଘରକୁ ଚାଲିଯାଇଥିଲେ ।
ସ୍ତ୍ରୀ ଉପରେ ଥିବା ରାଗକୁ ସୁଝାଇବା ଲାଗି ପାଗଳପ୍ରାୟ କିଶୋର ତିନି ସନ୍ତାନଙ୍କୁ ନେଇ ଜଙ୍ଗଳ ଯାଇଥିଲେ । ମାତ୍ର ସେଠାରେ ବଡ ଝିଅ (୧୦ବର୍ଷ) ପିତାଙ୍କ ବ୍ୟବହାରରେ ସନେ୍ଦହ କରି ଅଧା ବାଟ ଗଲା ପରେ ଅଟକିଯାଇଥିଲା । ପରେ କିଶୋର ନିଜର ୧୪ ମାସର ପୁଅକୁ ଏକ ଔଷଧ ଦେଇ ପାଣିରେ ବୁଡ଼ାଇ ମାରିଦେବା ସହ ମଝିଆ ଝିଅ (୮ବର୍ଷ)କୁ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲା । ଗୁରୁତର ଅବସ୍ଥାରେ ମଝିଆ ଝିଅକୁ ଉଦ୍ଧାର କରି ବୋଡ଼େନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ଘଟଣା ସ୍ଥଳରୁ ପିଶାଚ ପିତା ଫେରାର ହୋଇଯାଇଥିବା ଜଣାପଡିଛି ।