ପ୍ରଥମ ପର୍ଯ୍ୟାୟରେ ପାଇଥିଲେ ୨୫ ଲକ୍ଷ, ଏବେ ପାଇଲେ ୩୫ ଲକ୍ଷ ସୁଭଦ୍ରା ହିତାଧିକାରୀ…

ସନ୍ଧ୍ୟା ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଟଙ୍କା ଯିବା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ
ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ପ୍ରଥମ ପର୍ଯ୍ୟାୟର ପ୍ରଥମ କିସ୍ତିର ଟଙ୍କା ଭୁବନେଶ୍ୱରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିବିଟି ମାଧ୍ୟମରେ ୨୫ ଲକ୍ଷ ମହିଳାଙ୍କ ଖାତାକୁ ପ୍ରଦାନ କରିଥିବା ବେଳେ ବାରିପଦାରେ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ବଟନ୍ ଟିପି ଏହି ଟଙ୍କା ପଠାଇଛନ୍ତି । ସନ୍ଧ୍ୟା ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଟଙ୍କା ଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ପାର୍ବଣରେ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଆସି ଥିବାରୁ ହିତାଧିକାରୀଙ୍କ ଘରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାର ଛଉ ପଡିଆରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ବଣ୍ଟନ କରିଛନ୍ତି । ଏଥିସହ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଥିବା ପ୍ରଥମ ଓ ଏକ କୋଟିଏତମ ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆଙ୍କ ସମେତ ବିଧାୟକ ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆଜି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ଦିଆଗଲା । ଆମ ସରକାର ଯାହା ପ୍ରତିଶ୍ରୁତି ଦିଏ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରେ । ସୁଭଦ୍ରା ଯୋଜନା ଓଡ଼ିଶାର ସର୍ବବୃହତ୍ତ ଯୋଜନା । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଡବଲ ଇଂଜିନ ସରକାରକୁ ଆପଣ ସଫଳ କରିଛନ୍ତି । ଡବଲ ଇଂଜିନ ସରକାରରେ ଡବଲ ବିକାଶ ହେବ, ଡବଲ ଫାଇଦା ମିଳିବ । ସେହିପରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଏକ ଯୁଗାନ୍ତକାରୀ ଯୋଜନା । ଏହା ଓଡ଼ିଶାର ସବୁଠାରୁ ବଡ଼ ଯୋଜନା ।