ଓଡିଶା

ଶିକ୍ଷା ବିଭାଗର ଦୃଷ୍ଟି ଆଢ଼ୁଆଳରେ ୧୦୭ ବର୍ଷର ପୁରାତନ ହିନ୍ଦୋଳ ସରକାରୀ ଉଚ୍ଚ ବିଦ୍ୟାଳୟ…

ନାହାନ୍ତି ନିୟମିତ ପ୍ରଧାନ ଶିକ୍ଷକ, ୫ ଜଣ ଶିକ୍ଷୟିତ୍ରୀ ଅନ୍ୟତ୍ର ଡେପୁଟେସନରେ
ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) :
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ମହକୁମାରେ ୧୯୧୭ ମସିହାରେ ରାଜା ରାଜୁଡ଼ା ସମୟରେ ଗଢି ଉଠିଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଟି ଆଜି ୧୦୭ ବର୍ଷରେ ପଦାର୍ପଣ କରିଥିଲେ ହେଁ ନାନା ସମସ୍ୟା ମଧ୍ୟରେ ଗତି କରୁଛି । ପୂର୍ବ ସରକାରଙ୍କ ସମୟରେ ୫ଟି (ମୋ ସ୍କୁଲ) ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ କରାଯାଇ ଏହାର ସିରି ବୃଦ୍ଧି କରାଯାଇଥିଲେ ମଧ୍ୟ ଶିକ୍ଷାଦାନ କ୍ଷେତ୍ରରେ ନାନା ଅଭାବ ଅସୁବିଧା ଲାଗି ରହିଛି । ସରକାରଙ୍କ ଶିକ୍ଷା ବିଭାଗର ଦୃଷ୍ଟି ଆଢ଼ୁଆଳରେ ରହି ଯାଇଥିବାରୁ ଏଠାରେ ଏବେବି ଜଣେ ନିୟମିତ ପ୍ରଧାନ ଶିକ୍ଷକ ନିଯୁକ୍ତ ହୋଇ ପାରୁ ନଥିବା ବେଳେ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ପଦ ଫାଙ୍କା ରହିଛି । ଯେଉଁ ଶିକ୍ଷୟିତ୍ରୀମାନେ କାର୍ଯ୍ୟରତ ସେମାନଙ୍କ ମଧ୍ୟରୁ କେତେକ ଡେପୁଟେସନରେ ନିଜ ନିଜ ସୁବିଧାରେ ଅନ୍ୟ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଜଣାପଡିଛି । ଏକ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାଇ ଏଠାରେ ପ୍ରଥମରୁ ୧୦ ମ ଶ୍ରେଣୀ ପର୍ଯ୍ୟନ୍ତ ୧୪ ଜଣ ମହିଳା ଶିକ୍ଷୟିତ୍ରୀ କାର୍ଯ୍ୟରତ ଥିଲେ ହେଁ ତନ୍ମଧ୍ୟରୁ ୫ ଜଣ ଶିକ୍ଷୟିତ୍ରୀ ଅନ୍ୟତ୍ର ଡେପୁଟେସନରେ ଶିକ୍ଷାଦାନ କରୁଛନ୍ତି । ସେଥି ମଧ୍ୟରୁ ୩ ଜଣ ଶିକ୍ଷୟିତ୍ରୀ ସପ୍ତାହକୁ ୬ ଦିନ ଲେଖାଏଁ ଡେପୁଟେସନରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ୨ ଜଣ ସପ୍ତାହକୁ ୩ ଦିନ ଲେଖାଏଁ ଅନ୍ୟ ସ୍କୁଲରେ ପାଠ ପଢାଉଛନ୍ତି । ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୬୧୯ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ପ୍ରାଥମିକ ବିଦ୍ୟାଳୟସ୍ତରରେ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । ଏବଂ ଉଚ୍ଚ ବିଦ୍ୟାଳୟସ୍ତରରେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ ମିଶାଇ ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । ସେଥିମଧ୍ୟରୁ ୫ ଜଣ ଡେପୁଟେସନରେ ରହିଲେ ଶିକ୍ଷାଦାନର ମାନ କିଭଳି ହେଉଥିବ ସହଜରେ ବୁଝାପଡ଼ୁଛି ।

ସରକାରଙ୍କ ଶିକ୍ଷାନୀତି ଅନୁଯାୟୀ ବିଦ୍ୟାଳୟ ପରିସରରେ ଥିବା ପ୍ରାଥମିକ ବିଦ୍ୟାଳୟଟି ୨୦୧୮ ମସିହାରେ ହିନ୍ଦୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ସହିତ ସାମିଲ ହୋଇ ଯାଇଥିଲା । ସେହିଭଳି ନିକଟରେ ଥିବା ପୁରାତନ ବାଳିକା ଉଚ୍ଚ ବିଦ୍ୟାଳୟଟି ୨୦୧୯ ମସିହାରେ ସରକାରୀ ଉଚ୍ଚ ବିଦ୍ୟାଳୟ ସହିତ ଏକାକାର ହୋଇ ଯାଇ ଥିଲା । ୨୦୨୩ ମସିହା ଜୁନ ଜୁଲାଇ ମାସରୁ ଜଣେ ବରିଷ୍ଠ ସହକାରୀ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଉ ଥିବାବେଳେ ଏପର୍ଯ୍ୟନ୍ତ ଏହି ପୁରାତନ ବିଦ୍ୟାଳୟକୁ ବିଭାଗ ପକ୍ଷରୁ ଜଣେ ନିୟମିତ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦିଆ ଯାଇ ପାରି ନାହିଁ । ଫଳରେ ବିଦ୍ୟାଳୟର ଅନେକ ସରକାରୀ କାମଦାମରେ ଅସୁବିଧା ଉପୁଜୁଥିବା ଜଣାପଡ଼ିଛି । ପୂର୍ବରୁ ବାଳକମାନଙ୍କୁ ନେଇ ବିଦ୍ୟାଳୟର ଏନସିସି ଆଗକୁ ବଢ଼ିଥିବା ବେଳେ ଏବେ ୨୦୧୯ ମସିହା ପରେ ବାଳିକା ଉଚ୍ଚ ବିଦ୍ୟାଳୟର ସମ୍ମିଶ୍ରଣ ପରେ ଏନସିସିର ବାଳିକା ଟ୍ରୁପକୁ ନେଇ ସମ୍ଭାବନା କ୍ଷୀଣ ହେବାକୁ ଲାଗିଛି । ଏଥିପାଇଁ ବହୁ ଅଭିଭାବକ ଅସନ୍ତୋଷ ପ୍ରକଟ କରି ପ୍ରଧାନ ଶିକ୍ଷକଙ୍କଠାରୁ ଆରମ୍ଭ ଡିଇଓ, ହିନ୍ଦୋଳ ଉପଜିଲ୍ଲାପାଳ, ଜିଲ୍ଲାପାଳ, ସ୍ଥାନୀୟ ବିଧାୟିକା, ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅଭିଯୋଗ ପତ୍ର ପଠାଇଥିବା ଜଣାପଡିଛି ।

ଅଭିଯୋଗ ମୁତାବକ ଦାୟିତ୍ୱରେ ଥିବା ଶିକ୍ଷୟତ୍ରୀ ଜଣଙ୍କ ଏ ନେଇ ନିଜର ଅନିଚ୍ଛା ପ୍ରକାଶ କରିବା ସହ କୁଆଡେ ତିନି ଦିନିଆ ଡେପୁଟେସନରେ ଅନ୍ୟ ବିଦ୍ୟାଳୟରେ କାର୍ଯ୍ୟରତ । ଅଭିଯୋଗ ପରେ ପ୍ରଧାନ ଶିକ୍ଷକ ପିଟିଏ ବୈଠକ ଡକାଇ ଅନ୍ୟ ଶିକ୍ଷୟିତ୍ରୀଙ୍କୁ ବାଳିକା ଏନସିସି ଦାୟିତ୍ୱ ନେବାକୁ ପରାମର୍ଶ ଲୋଡ଼ିଥିଲେ ହେଁ କେହି ରାଜି ହେଉ ନଥିବା ଶୁଣା ଯାଉଛି । ଫଳରେ ସ୍କୁଲରେ ବାଳିକା ଏନସିସି ତିଷ୍ଠି ରହିବାରେ ଆଶଙ୍କା ଦେଖାଦେଇଛି । ବିଦ୍ୟାଳୟ ପରିସର ସଫା ସୁତୁରା ରଖିବା, ଫୁଲ ବଗିଚାରେ ଦାୟିତ୍ୱ ନେଇ ପାଣି ସିଞ୍ଚନ କରିବା ପାଇଁ ଜଣେ ଝାଡୁଦାର ଓ ମାଳିର ଆବଶ୍ୟକତା ଥିଲେ ହେଁ ତାହା ପୂରଣ ହୋଇ ପାରୁ ନାହିଁ । ସେହିଭଳି ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ସାଇକେଲ ଷ୍ଟାଣ୍ଡ ପର୍ଯ୍ୟପ୍ତ ହେଉ ନଥିବାରୁ ଖରା ବର୍ଷା ଶୀତରେ ଅନେକ ପିଲା ବାହାରେ ସାଇକେଲ ରଖୁଥିବା ଦେଖାଯାଉଛି । ମୋଟାମୋଟି ବିଦ୍ୟାଳୟଟି ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ବିଭାଗୀୟ ସୁଦୃଷ୍ଟି ପଡୁ ନଥିବାରୁ ଅବହେଳିତ ହୋଇରହିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା