ଭୁଶୁଡି ପଡିଲା ଚିତ୍ରୋତ୍ପଳା କେନାଲ ପୋଲର ଆପ୍ରାଚ ରୋଡ୍ : ଯାତାୟାତ ଠପ୍…

ସାଲେପୁର, (ଏଫ୍ଟୁଏସ୍ / ଅଭୟ ଜେନା) : ମହାନଦୀ ଚିତ୍ରୋତ୍ପଳା ଦ୍ୱିପାଞ୍ଚଳ ତଥା କଟକ ସଦର ନିର୍ବାଚନ ମଣ୍ଡଳୀର ଜନାର୍ଦ୍ଦନପୁରଠାରେ ଚିତ୍ରୋତ୍ପଳା ଦକ୍ଷିଣ କେନାଲର ବଢ଼େଇ ସାହି କେନାଲ ସେତୁର ମୁଣ୍ଡ ଆପ୍ରାଚ ରାସ୍ତାରେ ପ୍ରାୟ ୧୫ ଫୁଟ ଓସାର ଗର୍ତ୍ତ ହୋଇଯିବାରୁ ଗ୍ରାମବାସୀ ତଥା ସାଧାରଣ ଲୋକଙ୍କ ଯାତାୟାତ ଏକ ପ୍ରକାରର ଠପ୍ ହୋଇଯାଇଛି । ସୂଚନା ଅନୁସାରେ, ଗତ ସୋମବାର ମଧ୍ୟ ରାତ୍ରରେ ହଠାତ୍ ବିକଟାଳ ଶବ୍ଦକରି ରାସ୍ତା ଭୁଶୁଡି ଯାଇଥିଲା । ପୋଲ ମୁଣ୍ଡ ରାସ୍ତା ଦବିଯିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସ୍କୁଲ ପିଲାମାନେ, ଗୃହ ପାଳିତ ପଶୁ, ରୋଗାକ୍ରାନ୍ତ ଲୋକେ ଜରୁରୀ କାର୍ଯ୍ୟରେ ଯିବା ଅସମ୍ଭବ ହୋଇପଡିଛି । ଏଠାରେ ଉଲ୍ଲେଖନୀୟ ଯେ, ଏହି ଗ୍ରାମ ହେଉଛି ପ୍ରଥମ କାର୍ଗିଲ ସହିଦ ଗୋପୀନାଥ ମହାରଣାଙ୍କ ନିଜଗ୍ରାମ । ସହିଦଙ୍କ ଘରକୁ ଯିବା ପାଇଁ ଏହା ହେଉଛି ଏକମାତ୍ର ରାସ୍ତାର ସେତୁ । ଅପରପକ୍ଷେ ଖବର ଲେଖା ହେବା ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳକୁ ଆସିନ ଥିବାବେଳେ, ଲୋକେ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ତୁରନ୍ତ ପୋଲମୁଣ୍ଡ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।