ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀରେ ମହିଳା ସୁରକ୍ଷା ସମ୍ପର୍କରେ ଆଲୋଚନା…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀର ଦ୍ୱିତୀୟ ଦିବସରେ ମହିଳା ସୁରକ୍ଷାରେ ବହୁ ବିଭାଗର ଏକକ ସମନ୍ୱୟ ଉପରେ ସ୍ୱତନ୍ତ୍ର ଅଧିବେଶନରେ ଆଲୋଚନା ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆୟୋଜିତ ଆଲୋଚନାରେ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ସନ୍ତୋଷ ବାଲା, ଆରକ୍ଷୀ ମହାନିରୀକ୍ଷକ ସାଇନି ଏସ୍, ମହିଳା ଶିଶୁ ବିକାଶ ଓ ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ନିର୍ଦ୍ଦେଶିକା ମୋନିଶା ବାନାର୍ଜୀ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଅଂଶଗ୍ରହଣ କରିଥିଲେ । ଆରକ୍ଷୀ ମହାନିରୀକ୍ଷକ ସାଇନି ଏସ୍ ଓଡ଼ିଶାର ମହିଳା ସୁରକ୍ଷାରେ ପୋଲିସର ଭୂମିକା ବିଷୟରେ ବିଭିନ୍ନ ତଥ୍ୟ ଉପସ୍ଥାପନା କରିଥିଲେ । ଏଥିରେ ଦର୍ଶାଯାଇଥିଲା ଯେ ଓଡ଼ିଶାର ବହୁ ମହିଳା ବିରୋଧୀ ହିଂସା ସେମାନଙ୍କ ନିଜ ସମ୍ପର୍କୀୟ ଲୋକଙ୍କ ଦ୍ୱାରା ହିଁ ହୋଇଥାଏ । ପ୍ରତିଟି ଥାନାର ଦକ୍ଷତା ବିକାଶ ସହ ଥାନାକୁ ଆସୁଥିବା ସମସ୍ତ ଅଭିଯୋଗକାରୀଙ୍କୁ ଭଲ ବ୍ୟବହାର ଦେଖାଇ ତାଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାପାଇଁ ସେ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।
ମହିଳା ଶିଶୁ ବିକାଶ ଓ ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ନିଦେ୍ର୍ଦଶିକା ମୋନିଶା ବାନାର୍ଜୀମହିଳା ସୁରକ୍ଷା ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ହେଲ୍ପ ଲାଇନ ନମ୍ବର -୧୮୧, ୱାନ୍ ଷ୍ଟପ ସେଣ୍ଟର, ଶକ୍ତି ସଦନ, ସଖୀ ନିବାସ ଆଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡନକୁ ରୋକିବା ପାଇଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସକ୍ରିୟ ପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ମହିଳା ସୁରକ୍ଷାରେ ଓଡ଼ିଶା ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିବ ବୋଲି ସେ ପ୍ରକାଶ କରିଥିଲେ । କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀରେ ମହିଳା ସୁରକ୍ଷା ସମ୍ପର୍କରେ ଆଲୋଚନା ତୃଣମୂଳ ସ୍ତରର ହେଉଥିବା ବିଭନ୍ନ ଅପରାଧର ମାସିକ ତାଲିକା ପ୍ରସ୍ତୁତ ହୋଇ ବିଭିନ୍ନ ସ୍ତରରେ ବିଶ୍ଳେଷଣ କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ । ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ ଏହି ଆଲୋଚନାରେ ଅଂଶଗ୍ରହଣ କରି ଜନଜାତି ବହୁଳ ଅଞ୍ଚଳ ମାନଙ୍କରେ ହେଉଥିବା ମହିଳା ବିରୋଧୀ ଅପରାଧର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ । ଶେଷରେ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ସନ୍ତୋଷ ବାଲା ମହିଳା ବିରୋଧୀ ହିଂସା ରୋକିବା ପାଇଁ ମହିଳାଙ୍କ ସହ ପୁରୁଷଙ୍କୁ ମଧ୍ୟ ଲିଙ୍ଗଗତ ସଚେତନତା ବିଷୟରେ ଶିକ୍ଷାଦେବାର ଗୁରୁତ୍ୱ ସମ୍ବନ୍ଧରେ ଆଲୋଚନା କରିଥିଲେ ।