ଖଣ୍ଡା ଚୋଟରେ ମେଡ଼ିସିନ ବିତରକ ଗୁରୁତର, ୨୫ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁର୍ତ୍ତ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଖଜୁରୀଆକଟା ନିକଟସ୍ଥ ବହୁବର ପଡିଆ ରାସ୍ତା ପାର୍ଶ୍ୱରେ ଦୁଇ ଜଣ ଦୁର୍ବୃତ୍ତ ଜଣେ ମେଡିସିନ ରିପ୍ରେଜେଣ୍ଟିଭଙ୍କୁ ହାଣି କ୍ଷତାକ୍ତ କରି ୨୫ ହଜାର ଟଙ୍କା ଲୁଟି ନେଇଥିବା ଖବର ଉକ୍ତ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଖବରରୁ ପ୍ରକାଶ ଯେ ଅନୁଗୁଳ ଜିଲ୍ଲା ଛେଳିଆପଡ଼ା ଅଞ୍ଚଳର ସ୍ମୃତିରଞ୍ଜନ ସାହୁ (୨୦) ଜଣେ ମେଡ଼ିସିନ ବିକ୍ରେତାଙ୍କ ମେଡ଼ିସିନ କମ୍ପାନୀର ବିତରକ ଭାବେ କାର୍ଯ୍ୟ କରନ୍ତି । ଏ ନେଇ ସେ ବାଲିମି ଥାନା ଖଜୁରୀଆକଟା ଅଞ୍ଚଳରେ ଥିବା ମେଡିସିନ ଦୋକାନମାନଙ୍କୁ ପରିଦର୍ଶନ କରିବା ସହ ଔଷଧ ଯୋଗାଇ ଦେଇଥିବା ଦୋକାନରୁ ପଇସା ସଂଗ୍ରହ କରି ନିଜ ବାଇକ୍ ଯୋଗେ ସତମାଇଲ ଅଭିମୁଖେ ଆସୁଥିଲେ । ଏହି ସମୟରେ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ବହୁବର ପଡିଆ ନିକଟରେ ରାସ୍ତା ପାର୍ଶ୍ୱରେ ଅଟକାଇ ଧମକ ଚମକ ଦେବା ସହ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ପରେ ଏକ ଭୁଜାଲିରେ ତାଙ୍କୁ ଆକ୍ରମଣ କରି ୨୫ ହଜାର ଟଙ୍କା ଲୁଟି ନେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ।

ରାସ୍ତାରେ ଯାଉଥିବା ଲୋକଙ୍କ ସହାୟତାରେ କ୍ଷତାକ୍ତ ସ୍ମୃତିରଞ୍ଜନଙ୍କୁ ଚିକିତ୍ସା ପାଇଁ ଖଜୁରୀଆକଟା ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ସାମାନ୍ୟ ସୁସ୍ଥ ପରେ ଆହତ ସ୍ମୃତି ରଞ୍ଜନ ଏ ନେଇ ବାଲିମି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ୍ ଘଟଣାର ପ୍ରାଥମିକ ତଦନ୍ତ କରି ୨୦୧/୨୪ରେ ମାମଲା ରୁଜୁ କରି ଅପରାଧୀଙ୍କୁ ଧରିବା ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ।