ଆଳୁ ଖୋଳୁ ଖୋଳୁ ମହାଦେବ : ଜବରଦଖଲ ଉଚ୍ଛେଦ ବେଳେ ବେଆଇନ ବାଣ କାରଖାନା ଠାବ…

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : କଟକ ଜିଲ୍ଲା ଅସୁରେଶ୍ୱରର ପୂବଂଶ କୁଳଗାଁଇଶାଳଠାରେ ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ କରାଯାଇଛି । ବାଉଣ୍ଡରୀ ପାଚେରୀ ଏବଂ ଏକ ଚାଳ ଘରକୁ ଭାଙ୍ଗିଛି ପ୍ରଶାସନ । ଉଚ୍ଛେଦ ବେଳେ ଏକ ଚାଳ ଘରୁ ବିପୁଳ ପରିମାଣର ବେଆଇନ ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ୍ କରିବା ସହ ଜଣଙ୍କୁ ଗିରଫ କରିଛି ନିଶ୍ଚିନ୍ତକୋଇଲି ପୋଲିସ । ଗିରଫ ବେଆଇନ ବାଣ କାରଖାନାର ମାଲିକ ହେଲେ ରାମଚନ୍ଦ୍ର ସେଠୀ ।

ବେଆଇନ ଭାବେ ସରକାରୀ ଜମିରେ ଏକ ଚାଳ ଘର ନିର୍ମାଣ କରି, ଦୀର୍ଘ ଦିନରୁ ବେଆଇନ ବାଣ କାରଖାନା ଚଳାଇ ଆସୁଥିଲେ । ଏହି ବେଆଇନ ବାଣ ତିଆରି କାରଖାନା ନିକଟରେ ସଂସ୍କୃତ ବିଦ୍ୟାଳୟ, ସରକାରୀ ଗୋଦାମ ଘର, ଅଙ୍ଗନବାଡି କେନ୍ଦ୍ର, ଅସୁରେଶ୍ୱର ସରକାରୀ ଉଚ୍ଚବିଦ୍ୟାଳୟ ଏବଂ ଗ୍ରାମ ଦେବତାଙ୍କ ମନ୍ଦିର ଅବସ୍ଥିତ ଥିବାବେଳେ କିଭଳି ଶ୍ରୀ ସେଠୀ ଏଠାରେ ଦୀର୍ଘ ଦିନରୁ ବେଆଇନ ବାଣ ତିଆରି କରୁଥିଲେ ଏବଂ ଏ ଦିଗରେ କାହାର ଦୃଷ୍ଟି କିଭଳି ପଡିନଥିଲା ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ?