ତ୍ରିବେଣୀଶ୍ୱର ନିକଟ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ବିପଦ ସଂକୁଳ…

ସ୍ଥିତି ଅନୁଧ୍ୟାନ କଲେ ବିଧାୟକ, ପୂର୍ତ୍ତ ଓ ଜଳସମ୍ପଦ ଅଧିକାରୀ
ମାହାଙ୍ଗା, (ଏଫ୍ଟୁଏସ୍ / ଅଭୟ ଜେନା) : ବିପଦ ସଂକୁଳ ଅବସ୍ଥାରେ ତ୍ରିବେଣୀଶ୍ୱର ନିକଟ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ । ପାଖାପାଖି ୬୦ ମିଟରରୁ ଉର୍ଦ୍ଧ୍ୱ ମୁଖ୍ୟ କେନାଲ ବନ୍ଧ ହଠାତ୍ ୪ ଫୁଟ ତଳକୁ ଦବି ଯାଇଛି । ଅଳ୍ପ ଦିନ ତଳେ ନିର୍ମିତ ଏହି ପିଚୁରାସ୍ତା ଏବେ ଫାଟି ଆଁ’ କରିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଛନ୍ତି । ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ତ୍ରିବେଣିଶ୍ୱର ନିକଟ ବ୍ରିଟିଶ ଅମଳର ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ । ଭେଡାଠାରୁ ତ୍ରିବେଣୀଶ୍ୱର ମଧ୍ୟରେ ବାରଂବାର ଭୁଷୁଡ଼ି ପଡୁଛି ସଡ଼କ । ଏଡିବି ସହାୟତାରେ ଏହି କେନାଲ ବନ୍ଧ ସୁଦୃଢ଼ୀକରଣ ହୋଇଥିଲା । ଚଉଡା କେନାଲରେ ଜଳ ପ୍ରବାହ ଧିମା ହୋଇଯିବାରୁ କେନାଲକୁ ଉଭୟ ପାର୍ଶ୍ୱରୁ ପୋତି ଦିଆଯାଇଥିଲା । ଫଳରେ ଏହି କେନାଲ ଦେଇ ଅଧିକ ଜଳ ପ୍ରବାହିତ ହେବା ଦେଖିବାକୁ ମିଳିଥିଲା । କଟକ , ଯାଜପୁର,ଏବଂ କେନ୍ଦ୍ରାପଡା ଜିଲ୍ଲାକୁ ମୁଖ୍ୟତଃ ଏହି କେନାଲ ଜଳସେଚନ ପାଇଁ ଜଳ ଯୋଗାଏ । ପୂର୍ବ ବର୍ଷ ମଧ୍ୟ ଏହି କୁଆଁପାଳ-ଗୋପୀନାଥପୁର କେନାଲ ବନ୍ଧର ବାମ ପାର୍ଶ୍ୱ ପୁର୍ତ୍ତ ରାସ୍ତାର ତ୍ରିବେଣୀଶ୍ୱର ଅଞ୍ଚଳରେ ୨ ଶହ ମିଟରର ଦୀର୍ଘ ବନ୍ଧ ଭାଙ୍ଗିଯାଇ ବ୍ୟାପକ କ୍ଷତି ହୋଇଥିଲା । ଡାହାଣ ପାର୍ଶ୍ୱ ବନ୍ଧ ମଧ୍ୟ ଭାଙ୍ଗିଥିଲା । ଏବେ ପୁଣି ବନ୍ଧ ହଠାତ ଦବି ଯିବାରୁ ସ୍ଥାନୀୟ ଅଞ୍ଚଳ ଲୋକେ ଭୟଭୀତ ଅଛନ୍ତି ।

ଏ ନେଇ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ବନ୍ଧ ଦବି ଯାଇଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିବା ପରେ ତୁରନ୍ତ ଏହାର ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ତ୍ୱରିତ କାମ ନକଲେ ବନ୍ଧ ନିଶ୍ଚୟ ଭାଙ୍ଗିଯିବ ବୋଲି ଅଞ୍ଚଳବାସୀ କହିଛନ୍ତି । ଏହି ପରିଦର୍ଶନ ସମୟରେ କଟକ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅନୁପ କୁମାର ବେହେରା, ଚାରବାଟିଆ ପୂର୍ତ୍ତ ବିଭାଗ ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସନ୍ଦୀପ କୁମାର, ସହକାରୀ ନିର୍ବାହୀ ଯନ୍ତ୍ରୀ ଗଦାଧର ବାରିକ, ବିଭାଗୀୟ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ଭୋଇ, ସହକାରୀ ଯନ୍ତ୍ରୀ ଶାରଦା ପ୍ରସନ୍ନ ସେଠୀ, ଯୁବ ସଂଗଠକ ଭକ୍ତ ଚରଣ ସ୍ୱାଇଁ, ପୂର୍ବତନ ସରପଞ୍ଚ ଅଜୟ କୁମାର ନାୟକ, ପୂର୍ବତନ ସମିତିସଭ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କୁଣ୍ଡି ସମବାୟ ସମିତି ସଭାପତି ଅଖିଳେଶ ମହାନ୍ତି, ସମାଜସେବୀ ଭାବଗ୍ରାହୀ ରାଉତ, ସମିତିସଭ୍ୟ ମନୋରଞ୍ଜନ ନାୟକ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।