ନିଲମ୍ବିତ ଶିକ୍ଷକଙ୍କୁ ବେଆଇନ ଭାବରେ ପୁନଃନିଯୁକ୍ତିକୁ ନେଇ ପ୍ରଶ୍ନ…

ଧର୍ମଗଡ, (ଏଫ୍ଟୁଏସ୍/ ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନରେ ଥିବା ପିପଳଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମୁରଲୀଧର ସାହୁଙ୍କୁ ଗତ ତା ୧/୫/୨୪ ରିଖ ଦିନ ଜୟପାଟଣା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ନିଲମ୍ବିତ କରାଯାଇଥିଲା । ଏ ବିଷୟ ନେଇ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ପ୍ରକାଶ ଯେ ଚିଠି ନଂ ୧୯୮୭ ତା-୧୧/୦୯/୨୦୨୪ ରେ ନିଲମ୍ବିତ ଶ୍ରୀ ସାହୁଙ୍କୁ ବ୍ଲକ ଶିକ୍ଷା ଅଫିସ କାର୍ଯ୍ୟାଳୟରେ ସଲଗ୍ନ କରିଥିବା ଦର୍ଶାଇଛନ୍ତି । ଅନ୍ୟପକ୍ଷେ ତାଙ୍କୁ ଜୟପାଟଣା ବ୍ଲକର ସାନ କାର୍ଲାକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ପୁନଃ ନିଯୁକ୍ତି କରିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ଜଣେ ଶିକ୍ଷକ କୌଣସି କାରଣ ବଶତଃ ନିଲମ୍ବିତ ହେଲେ ଅତିକମରେ ଛଅ ମାସ ପର୍ଯ୍ୟନ୍ତ ପୁନଃନିଯୁକ୍ତି ନିୟମ ନଥିବା ବେଳେ ଜୟପାଟଣା ବ୍ଲକ ଶିକ୍ଷା କାର୍ଯଳୟରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏ ବିଷୟ ନେଇ ଆମେ ବ୍ଲକ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡାଙ୍କ ପ୍ରତିକ୍ରିୟା ନେବାରୁ କ୍ୟାମେରା ଦେଖି ସେ ହଡ଼ ବଡେଇ ଯାଇ ପଳାୟନ କରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦର୍ଶାଇ କାହିଁକି ଜଣେ ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କୁ ତରବରିଆ ଭାବେ ପୁନଃ ନିଯୁକ୍ତି କରାଗଲା । ସେପଟେ ବ୍ଲକ ଶିକ୍ଷା ଅଧିକାରୀ ଏବଂ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଗୋଟିଏ ଗ୍ରାମର ହୋଇଥିବାରୁ ସରକାରୀ ନୀତି ନିୟମକୁ ଫୁ କରିଥିବା ଅଭିଯୋଗ ହୋଇଛି । ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ଶିକ୍ଷା ବିଭାଗ ଏ ନେଇ କି ପଦକ୍ଷେପ ଗ୍ରହଣ କରୁଛନ୍ତି ।