ଓଡ଼ିଶାରୁ ଗଡ଼ିଲା ଆଉ ଦୁଇଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ୍…

ଓଡ଼ିଶାରୁ ଗଡ଼ିଲା ଆଉ ଦୁଇଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱାଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ ଭର୍ଚୁଆଲ୍ ମୋଡରେ କରିଛନ୍ତି । ଆଜି ଦେଶରେ ମୋଟ ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ମୋଦି । ସେଥିମଧ୍ୟରେ ଦେଓଘର-ବାରଣାସୀ, ଭାଗଲପୁର-ହାୱଡ଼ା, ଟାଟାନଗର-ପାଟନା ଏବଂ ଗୟା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ରହିଛି।
ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ଼ ଭୁବନେଶ୍ବର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼, ନୟାଗଡ଼, ବାଂଶପାଣି, ଡାଙ୍ଗୋଆପୋଷି, ଚାଇବାସା ହୋଇ ଟାଟାନଗରରେ ପହଞ୍ଚିବ । ଏହାର ଶୁଭାରମ୍ଭ ବେଳେ ବ୍ରହ୍ମପୁର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ।
ସେହିପରି ରାଉରକେଲା-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ କେବଳ ୩ଟି ଷ୍ଟେସନ ଚକ୍ରଧରପୁର, ଟାଟାନଗର ଓ ଖଡଗପୁରରେ ଅଟକିବ ବୋଲି ସୂଚନା ମିଳିଛି । ଏହି ଅବସରରେ ରାଉରକେଲା ରେଳ ଷ୍ଟେସନରେ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଗସ୍ତରେ ଆସିବେ । ଏହି ଗ୍ରସ୍ତ ସମୟରେ ମୋଦି ‘ସୁଭଦ୍ରା’ ଯୋଜନା ସହ ବିଭିନ୍ନ ସରକାରୀ ଯୋଜନାର ଉଦଘାଟନ କରିବେ । ଏଥିସହ ଦୁର୍ଗ- ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିବେ । ପୂର୍ବରୁ ଓଡ଼ିଶା ଦେଇ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଥିବା ବେଳେ, ୩ଟି ନୂଆ ସେମି-ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ ପରେ ଏହା ୬କୁ ବୃଦ୍ଧି ପାଇଛି ।