ପାରଳାଖେମୁଣ୍ଡିରେ ଥିବା ଶୀତଳ ଭଣ୍ଡାର ଶୀତଳ ଅବସ୍ଥାରେ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଚିତ । ରାଜ୍ୟ ସରକାର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ ସକାଶେ ଘୋଷଣା କରିଥିଲେ ସୁଦ୍ଧା ପାରଳାଖେମୁଣ୍ଡିରେ ଥିବା ଶୀତଳ ଭଣ୍ଡାରଟି ଶୀତଳ ଅବସ୍ଥାରେ ପଡି ରହିଛି । ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ, ଯାହା ଫଳରେ ଚାଷୀ ଓ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଛୁଆ ଜିଲ୍ଲା ଭାବେ ପରିଚିତ ଗଜପତିରେ ଗୋଟିଏ ହେଲେ କଳ କାରଖାନା ନାହିଁ । ଜିଲ୍ଲାର ପ୍ରାୟ ୮୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ପନିପରିବା ଚାଷ କରୁଥିବା ବେଳେ ଜିଲ୍ଲାର ୭ଟି ବ୍ଲକ ମଧ୍ୟରୁ ୫ ଟି ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ପାହାଡିଆ ଜଙ୍ଗଲ ଅଞ୍ଚଳ ହୋଇଥିବା ଯୋଗୁଁ ଏଠାରେ ତେନ୍ତୁଳି, ପଣସ, ଆମ୍ବ, ସପୁରୀ, କମଳା, ଲେମ୍ଭୁ, ପିଜୁଳି, ମକା ଇତ୍ୟାଦି ପ୍ରଚୁର ପରିମାଣରେ ଆଦାୟ ହୋଇଥାଏ ।
ଚାଷୀ ନିଜର ଉତ୍ପାଦନ କରୁଥିବା ଜିନିଷର ସୁରକ୍ଷା ତଥା ସୁରକ୍ଷିତ ଭାବେ ରଖିବା ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ୧୯୬୬ ମସିହାରେ ଏକ ଶୀତଳ ଭଣ୍ଡାର ପାରଳାଖେମୁଣ୍ଡିରେ ନିର୍ମାଣ କରିଥିଲେ । ଏଥିରେ ୬୫୦୦ କ୍ୟୁଣ୍ଟାଲ ସାମଗ୍ରୀ ରଖିବାର ସାମର୍ଥ୍ୟ ଥିଲା । ଚାଷୀମାନେ ଏଠାରେ ନିଜ ଉତ୍ପାଦିତ ସାମଗ୍ରୀ ରଖି ପାରୁଥିଲେ । ସେହି ଅନୁସାରେ ଲାଭବାନ ହେଉଥିଲେ । ବର୍ତ୍ତମାନ ତାହା ଅଚଳ ହୋଇ ପଡିରହିଛି । ଯନ୍ତ୍ରପାତି ଖତ ଖାଇବା ସହ କୋଠା ମଧ୍ୟ ନଷ୍ଟ ହେବାରେ ଲାଗିଛି । ସେହି ଶୀତଳ ଭଣ୍ଡାରଟି ଜିଲ୍ଲାବାସୀଙ୍କ କାର୍ଯ୍ୟରେ ଲାଗୁନାହିଁ । ଯଦି ଶୀତଳ ଭଣ୍ଡାରଟି ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାରେ ଥାଆନ୍ତା ତେବେ ଏହ ରାଜ୍ୟର ପରିବା ଦରଦାମ୍ କିଛି ମାତ୍ରାରେ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇ ପାରିଥାନ୍ତା । ପନିପରିବା ନିଅଣ୍ଟ ହେଉଥିବା ଯୋଗୁଁ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଅଣାଯାଇ ବିକ୍ରୀ କରାଯାଉଛି । ଯଦ୍ୱାରା ଦର ବୃଦ୍ଧି ଘଟୁଛି । ତେଣୁ କୃଷି ପ୍ରଧାନ ଗଜପତି ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂତନ ସରକାର ଗଜପତି ଜିଲ୍ଲାରେ ନୂତନ ଭାବେ ଶୀତଳ ଭଣ୍ଡ।ର ନିର୍ମାଣ କଲେ ଚାଷୀ ତଥା ଜନସାଧାରଣ ଉପକୃତ ହୋଇପାରିବେ ।