ରାଜ୍ୟର ଅବହେଳିତ ଡାକ୍ତରଖାନା, ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ଶୁଭଦୃଷ୍ଟିକୁ ଅପେକ୍ଷା…

ହିନ୍ଦୋଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର ନଥିବାରୁ ରୋଗୀ ମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁନାହିଁ । ଫଳରେ ବାଧ୍ୟ ହୋଇ ଡାକ୍ତରଖାନାରୁ ମୁହଁ ଫେରାଉଛନ୍ତି ସାଧାରଣ ରୋଗୀ । ଦିନ ଥିଲା ବିଭିନ୍ନ ବିଭାଗୀୟ ବିଶେଷଜ୍ଞ ଡାକ୍ତରଙ୍କ ସହିତ ୧୦/୧୨ ଜଣ ଡାକ୍ତରଙ୍କୁ ନେଇ ଏଠାରେ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦିଆଯାଉଥିଲା । ଡ଼ାକ୍ତରଖାନା ପରିସରରେ ଗହଳି ଚହଳି ଲାଗି ରହୁଥିଲା ।ମାତ୍ର ଏବେ ଡାକ୍ତରଖାନା ପରିସର ଖାଁ ଖାଁ । ୨୦୦୪ ମସିହାରେ ଡାକ୍ତରଖାନା ପରିସରରେ ଆରମ୍ଭ ହୋଇଥିବା ୧୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ଚିକିତ୍ସାଳୟଟି ପ୍ରାୟ ୨ ବର୍ଷ ହେବ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଛି । ଗତ ୫-୭ ବର୍ଷ ଧରି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ଡାକ୍ତରଖାନା । ଗତ ସରକାରଙ୍କ ସମୟରେ ୫ଟି ଅଧିନରେ ମୋ ଡାକ୍ତରଖାନା ଯୋଜନାରେ ଏଠାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରିକରଣ କାର୍ଯ୍ୟ କରାଯାଇଥିଲା । ହେଲେ ଏହି କାମକୁ କିଛି ସମୟ ବିତିଛି କି ନାହିଁ ଡାକ୍ତରଖାନା ଛାତରୁ ପାଣି ଗଳିବା, ଡାକ୍ତରମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଓପିଡି କକ୍ଷ ସିଲିଂ ଛାଡ଼ିବା ଦୃଶ୍ୟ ଦେଖିବାକୁ ମିଳିଲାଣି । ଏଭଳି ନିମ୍ନମାନର କାମକୁ ସର୍ବ ସାଧାରଣରେ ନିନ୍ଦା କରାଯାଉଥିବା ଦେଖିବାକୁ ମିଳିଛି ।
ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ସମସ୍ତ ସମସ୍ୟା ଦୀର୍ଘବର୍ଷ ଧରି ରହିଆସିଥିଲେ ମଧ୍ୟ ଏହାର ସମାଧାନ ଦିଗରେ ନା ସରକାର, ନା ସ୍ଥାନୀୟ ପ୍ରଶାସନ ନା ସ୍ଥାନୀୟ ନିର୍ବାଚିତ ନେତୃତ୍ୱ କାହାରି ଆନ୍ତରିକତା ନାହିଁ । ଏପଟେ ଗୁରୁତର ରୋଗୀ ତ ଅଲଗା କଥା, ସାଧାରଣ ଥଣ୍ଡା ଜ୍ୱର ରୋଗୀଟିଏ ବି ଏଠାରେ ଅକଥନୀୟ ଯମ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି । ତଥ୍ୟରୁ ଜଣାପଡିଛି ହିନ୍ଦୋଳ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ବିଶେଷଜ୍ଞ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୨ଟି ପୋଷ୍ଟ, ସର୍ଜରୀ ବିଭାଗରେ ୧ଟି, ଶିଶୁ ବିଭାଗରେ ୨ଟି, ମେଡ଼ିସିନ ବିଭାଗରେ ୧ଟି, ଚକ୍ଷୁ ବିଭାଗରେ ୧ଟି, ଆନାସ୍ଥେସିଆ ବିଭାଗ ଲାଗି ଜଣେ, ଅର୍ଥୋପେଡିକ ବିଭାଗ ପାଇଁ ଜଣେ, ପାଥୋଲୋଜିରେ ଜଣେ, ସିନିୟର କ୍ଲାସ ଜଣେ, ଏମଓ ୨ଟି ପୋଷ୍ଟ, ଜୁନିୟର କ୍ଲାସ ଏମଓ ୬ଟି, ଫାର୍ମାସିଷ୍ଟ ୬ଟି, ନର୍ସ ୨୮ଟି ପୋଷ୍ଟ, ଏଲଟି ୪ଟି, ରେଡ଼ିଓଗ୍ରାଫର ୪ଟି, ଚକ୍ଷୁବିଭାଗ ସହାୟକ ଜଣେ, ଆଟେଣ୍ଟlଣ୍ଟ ୮ଜଣ, ଝାଡୁଦାର ୪ଜଣ, ସେସ୍କନ ଅଫିସର ଜଣେ, ସିନିୟର ଆସିଷ୍ଟାଣ୍ଟ ଜଣେ, ଜୁନିୟର ଆସିଷ୍ଟାଣ୍ଟ ଜଣେ ଓ ପିଅନଙ୍କ ପାଇଁ ଗୋଟିଏ ପୋଷ୍ଟ ସହ ଏସଡ଼ିଏମଓଙ୍କ ସମେତ ମୋଟ ୧୯ ଜଣ ଡାକ୍ତର ପଦବୀ ଏବଂ ଅନ୍ୟାନ୍ୟ ୫୮ଟି ପଦବୀ ରହିଅଛି । ଏଥିସହ ସାଧାରଣ ରୋଗୀ ଶଯ୍ୟା ୬୦, ଚକ୍ଷୁ ବିଭାଗର ୧୦, ପିପିସିର ୬ ଶଯ୍ୟା ରହିଅଛି । ମାତ୍ର ହିନ୍ଦୋଳ ଭୋଟରଙ୍କ ପାଇଁ ଯନ୍ତ୍ରଣାର ବିଷୟ ବର୍ତମାନ ଏସଡିଏମଓଙ୍କୁ ମିଶାଇ କେବଳ ୪ଜଣ ଆସିଷ୍ଟାଣ୍ଟ ସର୍ଜନ ଡାକ୍ତର, ୩ଜଣ ଷ୍ଟାଫ ନର୍ସ, ଦୁଇଜଣ ଲବ୍ରୋଟାରୀ ଟେକ୍ନିସିଆନ, ଜଣେ ରେଡ଼ିଓଗ୍ରାଫର, ଦୁଇଜଣ ଏଲଟି କର୍ମଚାରୀ, ଜଣେ ଆଟେଟାଣ୍ଡ, ଦୁଇ ଫାର୍ମାସିଷ୍ଟଙ୍କୁ ନେଇ ଚାଲିଛି ୪ ଲକ୍ଷ ଲୋକଙ୍କ ନିର୍ଭରଶୀଳ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ।

ପ୍ରଶାସନର ଆନ୍ତରିକତା ଅଭାବରୁ ନାହିଁ ନାହିଁରେ ଚାଲୁଥିବା ଏହି ଡାକ୍ତରଖାନାରେ ଗୁରୁତର ରୋଗୀଙ୍କ କଥା ଛାଡ଼ ସାଧାରଣ ଥଣ୍ଡାଜ୍ଵର କାଶ ରୋଗୀଙ୍କୁ ମଧ୍ୟ ରେଫର କରିଦିଆଯାଉଛି । ଗତ ସାଧାରଣ ନିର୍ବାଚନ ଏବଂ ୨୦୨୩ ଏନ୍ଏସି ନିର୍ବାଚନରେ ଜନସାଧାରଣ ଏବଂ ଭୋଟରଙ୍କ ମୁଖ୍ୟ ଦାବି ଥିଲା ହିନ୍ଦୋଳ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ । ମାତ୍ର ନିର୍ବାଚନ ପରେ ନିର୍ବାଚିତ ପ୍ରତିନିଧି ଏ ନେଇ ପଦକ୍ଷେପ ନେବା ଦିଗରେ ଅନାଗ୍ରହ ପ୍ରକାଶ କରିବା ସହ ଗରିବ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲିଦେଇ ବିଭିନ୍ନ ଆଳ ଦେଖାଇ ଏହି ମୁଖ୍ୟ ସମସ୍ୟାକୁ ବାରମ୍ବାର ଟlଳିଦେବା ଏକ ଚିରାଚରିତ ପ୍ରଥାରେ ପରିଣତ ହୋଇଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଜନସାଧାରଣ ସବୁବେଳେ ପ୍ରତାରିତ ହେଉଥିବାରୁ ଏବେ ରୋଗ ହେଲେ ଭଗବାନଙ୍କ ଉପରେ ଭରସା କରି ଆସୁଛନ୍ତି । ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ପଦବୀ ସହ ଅନ୍ୟାନ୍ୟ ପଦବୀ ପୂରଣ ପାଇଁ ଦୃଷ୍ଟିଦେବାକୁ ରାଜ୍ୟସରକାର, ସ୍ଥାନୀୟ ନିର୍ବାଚିତ ନେତୃତ୍ୱ ଓ ସ୍ୱାସ୍ଥ୍ୟବିଭାଗ ନିକଟରେ ଜନସାଧାରଣ, ବୁଦ୍ଧିଜୀବୀ, ଭୋଟର ଦାବି କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଦୀର୍ଘ ୨୦ ବର୍ଷ ଧରି ଅବହେଳିତ, ଅଣଦେଖା ହୋଇରହିଥିବା ହିନ୍ଦୋଳ ଡାକ୍ତରଖାନା ଉପରେ କେବେ ସରକାରଙ୍କ ଶୁଭଦୃଷ୍ଟି ପଡୁଛି ।