ବେଆଇନ ଘରୋଇ କ୍ଲିନିକ୍ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମର ଚଢ଼ାଉ…

କୋରାପୁଟ, (ଏଫ୍ଟୁଏସ୍/ ପି. ଧର୍ମାରାଜୁ) : କୋରାପୁଟ ଜିଲ୍ଲା ମାଓ ଇଲାକା ନାରାୟଣପାଟଣା ବ୍ଲକ ସଦର ମହକୁମା ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଥିବା ଡି.ପି ଚୌଧୁରୀ କ୍ଲିନିକ ଉପରେ ଚଢାଉ । କୋରାପୁଟ ଜିଲ୍ଲା ସିଡିଏମଓ ଏବଂ ତାଙ୍କ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଏହି ସମୟରେ ସେଠାରେ ନିଜକୁ ଏକ ସ୍ୱାସ୍ଥ୍ୟ ଟେକ୍ନି୍ସିଆନ୍ କହୁଥିବା ବ୍ୟକ୍ତି ଛତ୍ରଭଙ୍ଗ ଦେଇ ଦଉଡି ପଲାଇ ଯାଇଥିଲେ । ଏହାସହ ସେଠାରେ ଅନ୍ୟ କିଛି କ୍ଲିନିକ୍ କର୍ମଚାରୀ ଉପସ୍ଥିତ ରହି ରୋଗୀଙ୍କୁ ଇଞ୍ଜେକସନ ଏବଂ ସାଲାଇନ୍ ଦେଉଥିଲେ । ତେବେ ତାଙ୍କ ପାଖରେ ମଧ୍ୟ କୈାଣସି ସ୍ୱାସ୍ଥ୍ୟ ବିଭାଗ ପ୍ରମାଣପତ୍ର ନଥିବା ଜଣାପଡିଥିଲା । ଏପରିକି ଡି.ପି ଚୌଧୁରୀ କ୍ଲିନିକର କୈାଣସି କାଗଜପତ୍ର ନଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଚଢ଼ାଉ ସମୟରେ ଅନେକ ଦିଗରେ ଯାଞ୍ଚ୍ କରିଥିଲେ ସୁଦ୍ଧା ଡି.ପି ଚୌଧୁରୀ କ୍ଲିନିକ୍ କୈାଣସି ପ୍ରମାଣ ଦେଖାଇ ପାରିନଥିଲେ ।

ଏହା ସହ ଶିକ୍ଷାଗତ ପ୍ରମାଣପତ୍ର ସୁଦ୍ଧା ଦେଖାଇବାରେ ଅକ୍ଷମ ହୋଇଥିଲେ । ଏଭଳି ଲୋକ ଦୀର୍ଘ ବର୍ଷ ଧରି ଗରୀବ ଆଦିବାସୀଙ୍କ ଜୀବନ ଉପରେ ଖେଳ ଖେଳି ଆସୁଥିଲେ, ଯାହାକି ପୁରାପୁରି ବେନିୟମ । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇ ନାରାୟଣପାଟଣାରେ ପହଞ୍ଚି ବେଆଇନ ଭାବେ ଚାଲିଥିବା ଡି.ପି ଚୌଧୁରୀ କ୍ଲିନିକ୍ ଉପରେ ଚଢ଼ାଉ କରି ଏହାକୁ ସିଲ୍ କରିଛନ୍ତି । ଏପରିକି କିଛି ଅସାମାଜିକ ବ୍ୟକ୍ତି ପହଞ୍ଚି ଚଢ଼ାଉ କରୁଥିବା ଅଫିସରଙ୍କୁ ବିରୋଧ କରିଥିବାରୁ ସ୍ଥାନୀୟ ପୋଲିସ, ତହସିଲଦାର, ବିଡ଼ିଓ ସେଠାରେ ପହଞ୍ଚିବା ପରେ ସିଲ୍ କରିଥିଲେ ।