ସମସ୍ୟା ଘେରରେ ସର୍ବ ପୁରାତନ ପାରଳା ପୌର ପରିଷଦ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ ଥିବା ପୌର ପରିଷଦ ରାଜ୍ୟର ସର୍ବ ପୁରାତନ ଦୂତୀୟ ପୌର ପରିଷଦ ଭାବେ ପରିଚିତ । କିନ୍ତୁ ଏଠାରେ ବିକାଶ ସ୍ୱଳ୍ପ ମାତ୍ର ସମସ୍ୟ ଅଧିକ । ରାସ୍ତାଘାଟ ସାଙ୍ଗକୁ ଡ୍ରେନେଜ ସମସ୍ୟା । ତତ ସହିତ ଟ୍ରାଫିକ ସମସ୍ୟା ସାଙ୍ଗକୁ ଅବ୍ୟବସ୍ଥିତ ପର୍କିଂ ସମସ୍ୟା । ଖାଲି ସେତିକି ନୁହେଁ ରାସ୍ତା ମଝିରେ ଦୁଇ ଚକିଆ ଯାନ ରଖିବା, ଉଠା ଦୋକାନୀଙ୍କ କବଜାରେ ସହର ରାସ୍ତାଘାଟ, ବୁଲା ଗାଈ ଗୋରୁ ଷଣ୍ଢଙ୍କ ଉପଦ୍ରବ । ଯଦ୍ୱାରା ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ଏକ ପ୍ରମୁଖ ପ୍ରସଙ୍ଗ । ଏହା ସହ ବୁଲା କୁକୁରଙ୍କ ଉପଦ୍ରବ କାରଣରୁ ଅନେକ ସମୟରେ ଲୋକ କୁକୁର ଆକ୍ରମଣର ଶିକାର ହେବା ସାଙ୍ଗକୁ ଦୁର୍ଘଟଣାର ମଧ୍ୟ ଶିକାର ହୋଇଥାଆନ୍ତି । ପଲିଥିନ ବ୍ୟାନ୍ ସତ୍ତ୍ୱେ ଏହାର ବହୁଳ ବ୍ୟବହାର, ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ । ଏହାସହ ସହରରେ ଘୁଷୁରୀ ଉପଦ୍ରବ ଆଉ ଏକ ମୁଖ୍ୟ ସମସ୍ୟା ଭାବେ ଠିଆ ହୋଇଛି । ଏହାବାଦ୍ ପୌରପରିଷଦର କର୍ମଚାରୀମାନେ ଦୀର୍ଘ ଦିନ ହେବ ବଦଳି ନ ହେବାରୁ ଅଂଚଳର ବିକାଶରେ ବାଧା ଉପୁଜୁଥିବା ଅଭିଯୋଗ ହେଉଛି । ସରକାରୀ ନିୟମାନୁସାରେ ପ୍ରତି ତିନି ବର୍ଷପରେ ବଦଳି ହେବା କଥା କିନ୍ତୁ ଏହି ନିୟମ କାର୍ଯ୍ୟକାରୀ ହେଉନାହିଁ । ନୂତନ ସରକାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହୁଥିବା ସରକାର କର୍ମଚାରୀଙ୍କ ବଦଳି କେବେ ହେବ ତାହା ଦେଖିବାକୁ ବାକି ରହିଲା । ସରକାର ଏଥି ଗୁରତ୍ୱ ଦେଲେ ସହରର ବିକାଶ ହୋଇ ପାରିବ ବୋଲି ଆଶା ରଖଛନ୍ତି ବୁଦ୍ଧିଜୀବୀ ।