ରାସ୍ତା ନୁହେଁ ତ ମରଣଯନ୍ତା, ବାରମ୍ବାର ଗୁହାରୀ ପରେ ବି ଶୁଣୁନାହାନ୍ତିି ସରପଞ୍ଚ ଓ ବ୍ଲକ ପ୍ରଶାସନ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଂସରା ପଞ୍ଚାୟତ ଅନ୍ତର୍ଗତ ଆମ୍ବିଥି ଚେପିଟି ଗାଡିଆ ୯ ନଂ ୱାର୍ଡ ଗ୍ରାମ୍ୟ ରାସ୍ତା ମରଣଯନ୍ତା ପାଲଟିଛି । ଉକ୍ତ ରାସ୍ତା ଦେଇ ଯାତାୟତ କାଠିକାର ପାଠ । ଏପରିକି ଗୁରୁତର ରୋଗୀଙ୍କୁ ଯଦି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବାକୁ ପଡେ ତେବେ ଏହି ରାସ୍ତା ଦେଇ ପ୍ରାୟ ୧ କିମି ପର୍ଯ୍ୟନ୍ତରୋଗୀଙ୍କୁ ବୋହି ନେବାକୁ ପଡେ । ପରେ ଯାଇ ମୁଖ୍ୟ ରାସ୍ତାରେ ଅପେକ୍ଷା କରି ରହିଥିବା ଆମ୍ବୁଲାନ୍ସ ସେବା ମିଳିଥାଏ । ସେହିଭଳି ସାଧାରଣ ଗ୍ରାମବାସୀ ମାନେ ଅନ୍ୟତ୍ର ଯିବା ପାଇଁ ମୁଖ୍ୟ ରାସ୍ତା ଧରିବାକୁ ହେଲେ ବହୁ କଷ୍ଟରେ କଚା କାଦୁଆ ପଙ୍କ ଭିତରେ ଯାତାୟତ କରନ୍ତି । ସ୍କୁଲ ଛାତ୍ରଛାତ୍ରୀମାନେ ଆମ୍ବିଥି ଗ୍ରାମ ସ୍ଥିତ ସ୍କୁଲକୁ ପାଠ ପଢ଼ିବା ପାଇଁ ଯାଉଥିବା ବେଳେ ସବୁ ସମୟରେ କଚା କାଦୁଅ ପରିପୂର୍ଣ୍ଣ ରାସ୍ତା ଦେଇ ଯାଇଥାନ୍ତି । ଗ୍ରାମବାସୀମାନଙ୍କର ଏହା ନିତିଦିନିଆ ଜୀବନଶୈଳୀରେ ପରିଣତ ହୋଇଛି । ଏ ନେଇ ସରପଞ୍ଚ କି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଲେ ସୁଦ୍ଧା କାହାର ସୁଦୃଷ୍ଟି ପଡ଼ି ପାରୁ ନାହିଁ ।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ପ୍ରାୟ ୪/୫ ବର୍ଷ ପୂର୍ବେ ପଞ୍ଚାୟତ ପକ୍ଷରୁ ସରକାରୀ ଅର୍ଥରେ ରାସ୍ତାରେ କିଛି ମାଟି ଏବଂ ମୋରମ ବିଛା ଯାଇଥିଲା । ଏହା ପରଠାରୁ ରାସ୍ତାରେ ମାଟି ଗାଣ୍ଡୁଏ ବି ପଡ଼ି ପାରୁ ନାହିଁ । ପୂର୍ବ ସରକାରଙ୍କ ସମୟରେ ବିଜୁ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ବ୍ଲକର ବିଭିନ୍ନ ପଞ୍ଚାୟତରେ କଂକ୍ରିଟ ରାସ୍ତା ମାନ ନିର୍ମାଣ କରାଯାଇଥିବା ବେଳେ ଚେପିଟି ଗାଡିଆ ଗ୍ରାମକୁ କାହିଁକି ଆର୍ଥିକ ଅନୁଦାନ ମିଳିଲା ନାହିଁ ବୋଲି ଲୋକେ ଏବେ ପ୍ରଶ୍ନ କରିଛନ୍ତି । ସମସ୍ୟା ନେଇ ଗ୍ରାମବାସୀମାନେ ବାରମ୍ବାର ସରପଞ୍ଚ ଓ ବିଡ଼ିଓଙ୍କୁ ଜଣାଇବା ପରେ ବି ରାସ୍ତା ନବୀକରଣ ହୋଇ ପାରି ନଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସୂଚନା ଯୋଗ୍ୟ ଯେ ଗ୍ରାମର ୯ ନଂ ୱାର୍ଡରେ ପ୍ରାୟ ୭୦ ପରିବାରର ୪୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ବସବାସ କରନ୍ତି । ଗ୍ରାମବାସୀଙ୍କ ପ୍ରମୁଖ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷ, ବ୍ଲକ ପ୍ରଶାସନ ଓ ସ୍ଥାନୀୟ ବିଧାୟିକା ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଅନୁରୋଧ କରିଛନ୍ତି । ଯଦି ସେମାନଙ୍କର ଜୀବନ ଯାତ୍ରା ସୁଗମ ନହୁଏ ତେବେ ଆଗାମୀ ଦିନରେ ଗ୍ରାମବାସୀ ଏକତ୍ରିତ ହୋଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।