ବେଗୁନିଆପଡ଼ାରେ ଚୋରା ମଦ କାରବାର ବୃଦ୍ଧି, ମଦମୃତ୍ୟୁ ଭୟ…

ଗଞ୍ଜାମ, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ବର୍ଷ ବର୍ଷ ଧରି ଅବାଧରେ ଚୋରା ମଦ କାରବାର ଚାଳିଥିବା ବେଳେ ଅସହାୟ ଗରିବଙ୍କ ଏଥିରେ ଧନ, ଜୀବନ ହାନି ହେଉଛି । ବିଶେଷ କରି ଯୁବ ଛାତ୍ରମାନେ ପ୍ରଭାବିତ ହେଉଥିବା ବେଳେ ଏଥିରେ ଆଖି ଦୃଶିଆ ରୋକ ଲଗାଇ ପାରୁନି ପୋଲିସ ଓ ଅବକାରୀ ବିଭାଗ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁଣ୍ଡୁରି ପଲ୍ଲୀରେ ତିଆରି ହେଉଥିବା ଚୋରା ମଦ ଶାଳବଣ ପଟ ଦେଇ ଆସୁଛି । ଏବଂ ବେଗୁନିଆପଡ଼ା ଅଞ୍ଚଳରେ ବ୍ୟାପକ ଭାବେ ଚାଲାଣ ହେଉଥିବା ବେଳେ ଗାଁ ଗାଁରେ ଚୋରାରେ ବିକ୍ରି ହେଉଛି । ସେହିପରି ବିରିଜାଇରେ ପ୍ରସ୍ତୁତ ହେଉଥିବା ଚୋରା ମଦ କୁମାରୀପାରୀ, କୁମ୍ଭାର ଗାଁ ପଟୁ ଚୋରାରେ ଆସୁଥିବା ବେଳେ ବିଭିନ୍ନ ଗ୍ରାମରେ ବିକ୍ରି ହେଉଥିବା ସୂଚନା ମିଳିଛି । ଅଗାଁର ଗାଁ ଠାରୁ ଆରମ୍ଭ କରି କୁମ୍ଭାର ଗାଁ, ତାଳସର, ସୁମଣ୍ଡଳ, ବୁରୁଝୁରୀ, ଏସ୍ ଛଚିନା, ବେଗୁନିଆପଡ଼ା, ମର୍ଦକୋଟ, ମର୍ଦମେଖ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବେଧଡ଼କ ଭାବେ ବିକ୍ରୟ ହେଉଛି ଚୋରା ମଦ । ସଂଧ୍ୟା ହେଲେ ନିର୍ଦ୍ଧିଷ୍ଟ ସ୍ଥାନରେ ଏହି ମଦ କିଣିବା ପାଇଁ ଭିଡ଼ ଜମୁଥିବା ବେଳେ ଦିନରେ ଲୁଚାଛପାରେ ବିକ୍ରି ହେଉଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ଚୋରା ମଦ ବିକ୍ରି ହେଉଥିବା ବେଳେ ପୋଲିସ କିମ୍ବା ଅବକାରୀ ବିଭାଗ ଏହାକୁ ବନ୍ଦ କରି ପାରୁନି । ବେଳେ ବେଳେ ମଦ ଧରପଗଡ଼ କରି କାଁ ଭାଁ ସ୍ଥାନରୁ ଜବତ ହେଉଛି । ହାତ ଗଣତି କିଛି ଜଣକୁ ଗିରଫ କରାଯାଉଛି । ହେଲେ ସଂପୂର୍ଣ୍ଣ ଭାବେ ଚୋରା ମଦ ବନ୍ଦ କରିବାରେ ଫେଲ୍ ମାରିଛି ପୋଲିସ ଓ ଅବକାରୀ ବିଭାଗ । ଗଞ୍ଜାମ ଜିଲ୍ଲାରେ ଏବେ ବିଶାକ୍ତ ମଦ ମୃତ୍ୟୁ ଘଟଣା ସାରା ରାଜ୍ୟରେ ସରଗରମ୍ ହୋଇଥିବା ବେଳେ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଗାଁ ଗାଁ ରେ ଚୋରା ମଦ କାରବାର ବୃଦ୍ଧି ଯୋଗୁଁ ମଦମୃତ୍ୟୁ ଭୟ ମଧ୍ୟ ରହୁଛି । ଏନେଇ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଭବିଷ୍ୟତରେ କିଛି ଅଘଟଣକୁ ଏଡାଇ ଦିଆଯାଇ ନ ପାରେ ବୋଲି ବୁଦ୍ଧିଜୀବି କହିଛନ୍ତି ।