ଓଡିଶା

ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଉନ୍ନୟନ କମିଶନରଙ୍କ ଜିଲ୍ଲାପାଳଙ୍କ ସହିତ ବୈଠକ…

ହିତାଧିକାରୀଙ୍କୁ ବ୍ୟବସ୍ଥା ସଂପର୍କରେ ସଠିକ୍ ସୂଚନା ପ୍ରଦାନ ଉପରେ ଗୁରୁତ୍ୱ
ଭୁବନେଶ୍ୱର, (ଏଫ୍ଟୁଏସ୍) : ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟର ସମସ୍ତ ଜିଲ୍ଲାପାଳମାନେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।
ସୁଭଦ୍ରା ଯୋଜନା ସଂପର୍କରେ କ୍ୟାବିନେଟରେ ଅନୁମୋଦନ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହାର କାର୍ଯ୍ୟକାରିତା ନେଇ ଅବଗତ କରାଇଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ଆସନ୍ତା ସେପ୍ଟେମ୍ବର ୧୭ତାରିଖରେ ଏହି ଯୋଜନା ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଏହି ଯୋଜନା ସଂପର୍କରେ ପ୍ରଥମେ ଭଲଭାବେ ବୁଝି କାର୍ଯ୍ୟକାରିତା ନେଇ ଉନ୍ନୟନ କମିଶନର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ହିତାଧିକାରୀମାନେ ଯେପରି ସଠିକ୍ ସୂଚନା ପାଇବେ ଏବଂ ଆବେଦନ କରିପାରିବେ, ସେଥିପାଇଁ ସମସ୍ତ ଆବଶ୍ୟକ ବ୍ୟବସ୍ଥା ସଂପର୍କରେ ସୂଚନା ପ୍ରଦାନ ଉପରେ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଛନ୍ତି । ହିତାଧିକାରୀମାନଙ୍କର ଏକ ଡାଟାବେସ ପ୍ରସ୍ତୁତ କରାଯାଉଛି । ଯେପରି ଏହି ଯୋଜନା ଅଧିନରେ ଆସୁଥିବା କୌଣସି ହିତାଧିକାରୀ ସୁବିଧାରୁ ବାଦ ନ ପଡିବେ, ସେଥିପ୍ରତି ଦୃଷ୍ଟିଦେବାକୁ କୁହାଯାଇଛି ।
ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶର୍ମା ଯୋଜନାର କାର୍ଯ୍ୟକରିବା ସଂପର୍କରେ ବୁଝାଇଲେ । ଯୋଜନା ଅନୁସାରେ ପ୍ରତ୍ୟେକ ହିତାଧିକାରୀ ୫୦,୦୦୦ଟଙ୍କାର ସହାୟତା ରାଶି ପ୍ରତିବର୍ଷରେ ୧୦ହଜାର କରି ୫ ବର୍ଷରେ ପାଇବେ । ପ୍ରତିବର୍ଷ ୨ଟି କିସ୍ତିରେ ୫ହଜାରଟଙ୍କା ଲେଖାଏଁ ୧୦ହଜାର ଟଙ୍କା ହିତାଧିକାରୀମାନଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରେରଣ କରାଯିବ । ହିତାଧିକାରୀମାନଙ୍କ ବୟସ୨୧ବର୍ଷ ବା ତଦୁର୍ଦ୍ଧ୍ୱ ଏବଂ ୬୦ବର୍ଷରୁ କମ୍ ହେଉଥିବ । ଆଧାର କାର୍ଡରେ ଉଲ୍ଲିଖିତ ବୟସ ଓ ଜନ୍ମ ତାରିଖ ବିଚାରକୁ ନିଆଯିବ । ଯୋଜନା ସଂପର୍କରେ ଏବଂ କେଉଁମାନେ ଏହି ଯୋଜନା ଅଧିନରେ ସହାୟତା ପାଇବାକୁ ଯୋଗ୍ୟ ଓ କେଉଁମାନେ ବାଦ ପଡୁଛନ୍ତି ସେ ସଂପର୍କରେ ବିଶଦ୍ ମାର୍ଗଦର୍ଶିକା ଖୁବ୍ ଶୀଘ୍ର ଜିଲ୍ଲାପାଳମାନଙ୍କୁ ପଠାଯିବ ।
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ଦରଖାସ୍ତଫର୍ମ ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, କମନ ସର୍ଭିସ୍ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ବଣ୍ଟନ କରାଯିବ । କମନ ସର୍ଭିସ୍ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ଫର୍ମ ଦାଖଲ ହେବ ଏବଂ ସେଠାରେ ଏହାର ଡିଜିଟାଇଜେସନ ହେବ ଓ ଆବେଦନକାରୀମାନଙ୍କୁ ଫର୍ମଦାଖଲର ପ୍ରମାଣ ସ୍ୱୀକୃତିର ପ୍ରିଣ୍ଟ ମିଳିବ । ଆବେଦନକାରୀଙ୍କୁ କୌଣସିସ୍ତରରେ ଏଥିପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ହିତାଧିକାରୀମାନେ ସମସ୍ତେ ଯେପରି ସୁବିଧାରେ ଆବେଦନ କରିପାରିବେ, ସେଥିପାଇଁ ଯଥେଷ୍ଟ ସଂଖ୍ୟକ ଫର୍ମ ସୁବିଧା କରିବାକୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ହିତାଧିକାରୀଙ୍କ ଆଧାରକାର୍ଡ ସହ ସେମାନଙ୍କ ବ୍ୟାଙ୍କଖାତା ସଂଯୁକ୍ତଥିବ । ଆବେଦନ ପାଇଁ ଆଧାର କାର୍ଡ ସହ ହିତାଧିକାରୀଙ୍କ ନିଜ ନାମରେ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ ।
ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକସ୍ତରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ପ୍ରେସବିବୃତ୍ତି ଜରିଆରେ ହିତାଧିକାରୀମାନଙ୍କୁ ସୂଚନା ପ୍ରଦାନ ସଂପର୍କରେ ଜଣାଯିବା ନିମନ୍ତେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହ ବିଭିନ୍ନ ପ୍ରମୁଖ ସ୍ଥାନରେ ହୋଡିଂ, ବ୍ୟାନର ଆଦି ଲଗାଯିବା, ସାମାଜିକ ଗଣମାଧ୍ୟମ ଓ ସମ୍ବାଦ ପତ୍ର ତଥା ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ନିମନ୍ତେ ବୈଠକରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଗୁରୁତ୍ୱ ଦେଇଥିଲେ ।
ଯୋଜନା କାର୍ଯ୍ୟକାରିତା ପାଇଁ ଜିଲ୍ଲାପାଳମାନେ ନିଜେ କାର୍ଯ୍ୟ ତଦାରଖ କରିବା ସହିତ ଅତିରିକ୍ତ ଜିଲ୍ଲାପାଳ ବା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦଙ୍କୁ ବରିଷ୍ଠ ଅଧିକାରୀଭାବେ ମନୋନୀତ କରିବେ । ମହାନଗରନିଗମ ସ୍ତରରେ କମିଶନରମାନେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ଦେଇ ଆବଶ୍ୟକ ବ୍ୟବସ୍ଥା କରିବେ । ସ୍ଥାନୀୟ ବିଧାୟକ, ସାଂସଦ ଏବଂ ସରପଞ୍ଚ ଆଦି ଜନ ପ୍ରତିନିଧିଙ୍କ ସହାୟତାରେ ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କିତ ବୈଠକ ହେବ । ପ୍ରତି ସିଡିପିଓ କାର୍ଯ୍ୟାଳୟରେ ସହାୟତା କେନ୍ଦ୍ର ସ୍ଥାପନ ହେବ, ଫଳରେ ହିତାଧିକାରୀମାନେ ସେମାନଙ୍କର ଆବଶ୍ୟକ ସୂଚନା ସଂପର୍କରେ ପଚାରି ବୁଝି ପାରିବେ । ସୁଭଦ୍ରା ଯୋଜନା ସଂପର୍କରେ ଅଧିକ ଜାଣିବା ପାଇଁ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ତରଫରୁ ଓକାକ୍ ସହାୟତାରେ ଏକ ନିଃଶୁଳ୍କ “କଲ ସେଣ୍ଟର” ସେବା କାର୍ଯ୍ୟ କରିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରକାଶ କରିଛନ୍ତି । ଯେଉଁ ଯେଉଁ ସ୍ଥାନରେ ଯୋଜନା କାର୍ଯ୍ୟକାରିତା ବେଳେ ହିତାଧିକାରୀମାନଙ୍କର ଅସୁବିଧା ଦୃଷ୍ଟିକୁ ଆସିବ, ଆବଶ୍ୟକ ସୂଚନା ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା