ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମାରେ ନବୀକରଣ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି…

ଭୁବନେଶ୍ୱର, (ଏଫ୍ଟୁଏସ୍) : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଲାଗୁ ହୋଇଥିବା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ନବୀକରଣ ତୁରନ୍ତ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଷ ଦେଇଛନ୍ତି ମହାମହିମ ରାଜ୍ୟପାଳ ରଘୁବାର ଦାସ । ଏହାସହ ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଲୋଚନା କରି ଚିଠି ଲେଖିବେ ବୋଲି ସାମ୍ବାଦିକ ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଛନ୍ତି ।
ରାଜ୍ୟରୁ ପ୍ରକାଶ ପାଉଥିବା ସାପ୍ତାହିକ, ପାକ୍ଷିକ, ମାସିକ ସମ୍ବାଦପତ୍ରଗୁଡିକର ସମସ୍ୟା ସମ୍ପର୍କରେ ରାଜଭବନରେ ଏକ ୧୦ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ଶ୍ରୀ ଦାସଙ୍କୁ ଭେଟି ଦାବିପତ୍ର ଦେବା ସହ ଏ ଦିଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମାର ଅବଧି ଶେଷ ହେଉଛି । ୨୦୧୮ ମସିହାରୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ସରକାର ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମା ଯୋଗାଇ ଆସୁଛନ୍ତି । ତେବେ ଚଳିତ ବର୍ଷ ଏଯାବତ୍ ଏଥିରେ ନବୀକରଣ ହୋଇନଥିବାରୁ ଏ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ସ୍ୱାସ୍ଥ୍ୟବୀମାରେ ବାପା-ମାଆଙ୍କୁ ସାମିଲ କରିବା ପାଇଁ ଦାବି ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ, ଏହି ସ୍ୱାସ୍ଥ୍ୟବୀମାଦ୍ୱାରା ରାଜ୍ୟର ୮୭୧୭ ଜଣ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକୃତ ହେଉଛନ୍ତି ।
ଏହାବାଦ୍, ଜାନୁଆରୀ ୨୬, ଏପ୍ରିଲ୍ ୧, ଅଗଷ୍ଟ ୧୫ ଏବଂ ସମ୍ବାଦପତ୍ରର ବାର୍ଷିକ ଉତ୍ସବରେ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟର ବିଜ୍ଞାପନ ଦେବା, ଯେଉଁ ସମ୍ବାଦପତ୍ରଗୁଡିକ କେନ୍ଦ୍ର ସରକାରଙ୍କ ସବିସିଦ୍ୱାରା ଅନୁମୋଦନ ହୋଇ ବିଜ୍ଞାପନର ମୂଲ୍ୟ ନିର୍ଦ୍ଧାରଣ ହୋଇଛି, ତଦନୁଯାୟୀ ବିଜ୍ଞାପନ ମୂଲ୍ୟ ପ୍ରଦାନ କରିବା, ଯେଉଁ ସମ୍ବାଦପତ୍ରର ସମ୍ପାଦକମାନେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପରିଚୟ ପତ୍ର ପାଇଛନ୍ତି, ସେମାନଙ୍କୁ ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନ ପ୍ରବେଶ ପାଇଁ ପ୍ରବେଶ ପତ୍ରର ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି । ଏହାସହ ଯେଉଁ ସମ୍ପାଦକ ଓ ପ୍ରତିନିଧିମାନେ ଏପର୍ଯ୍ୟନ୍ତ ସରକାରୀ ଅଧିସ୍ୱୀକୃତି ପାଇନାହାନ୍ତି, ସୂଚନା ଓ ଲୋକସମ୍ପର୍କ ବିଭାଗରେ ଦୀର୍ଘଦିନ ଧରି ପଡିରହିଥିବା ସେମାନଙ୍କ ଆବେଦନ ପତ୍ରକୁ ତୁରନ୍ତ ବିଚାର କରିବା ଲାଗି ମଧ୍ୟ ଦାବି ହୋଇଛି ।
ଏହି ପ୍ରତିନିଧି ଦଳରେ ବରିଷ୍ଠ ସାମ୍ବାଦକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ହୃଷିକେଶ ମହାନ୍ତି, ବିଜୟ ପଣ୍ଡା, ଅଜୟ ଦାସ, ଅଶୋକ ସାହୁ, ମାଧବାନନ୍ଦ ବଉରା, ବ୍ରାହ୍ମିପ୍ରିୟା ସମାନ୍ତରାୟ, ଚିତ୍ତରଞ୍ଜନ ପଟ୍ଟନାୟକ, ଦେବକାନ୍ତ ମହାପାତ୍ର ଓ ମଧୁସୂଦନ ସାହୁ ପ୍ରମୁଖ ସାମିଲ ଥିଲେ ।