ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପିଏମ୍-ଜନମନ ରଥର ଶୁଭାରମ୍ଭ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପିଏମ୍-ଜନମନ ରଥକୁ ଜିଲ୍ଲାପାଳ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାର ସମସ୍ତ ବ୍ଲକରେ ପ୍ରଚାର ପ୍ରସାର କରିବ । ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହାଅଭିଯାନ ଅଧୀନରେ ସମସ୍ତଙ୍କୁ ପକ୍କା ଘର, ପ୍ରତ୍ୟେକ ଘରକୁ ନଳ ପାଣି, ଗାଁ ଗାଁ କୁ ରାସ୍ତା, ପ୍ରତ୍ୟେକ ଘରକୁ ବିଜୁଳି, ସମସ୍ତଙ୍କୁ ଶିକ୍ଷା, ଧନ୍ଦା ମୁଳକ ଶିକ୍ଷା ପାଇଁ ସୁଯୋଗ, ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁବିଧା, ସମସ୍ତଙ୍କୁ ପୋଷଣ, ଉନ୍ନତ ଜୀବନ ଧାରା ଓ ଦୂରଦୂରାନ୍ତ ଗ୍ରାମାଞ୍ଚଳକୁ ଟେଲିକମ୍ ଯୋଗାଯୋଗ ଭଳି ମୌଳିକ ସୁବିଧା ପ୍ରଦାନ କରି ସକାରତ୍ମକ ଭାବେ ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି । ଜିଲ୍ଲାରେ ଏହି ରଥ ୨୩ ଅଗଷ୍ଟଠାରୁ ୧୦ ସେପ୍େଟମ୍ବର ୨୦୨୪ ପର୍ଯ୍ୟନ୍ତ ବୁଲି ସଚେତନତା ସୃଷ୍ଟି କରିବ । ଆଧାର, ପିଏମ-ଜନଧାନ ଯୋଜନା, ପିଏମ୍ – ଗରିବ କଲ୍ୟାଣ ଯୋଜନା, ଆୟୁଷ୍ମାନ ସ୍ୱାସ୍ଥ୍ୟ ବୀମା ଯୋଜନା, ପିଏମ୍- କିଷାନ ସମ୍ମାନ ନିଧି, କିଷାନ କ୍ରେଡିଟ କାର୍ଡ ଇତ୍ୟାଦି ଯୋଜନା ବିଷୟରେ ସଚେତନତା କରାଯିବ ।
ଜିଲ୍ଲାରେ ଏଲ୍ଏସଡିଏ ସେରଙ୍ଗର ୧୯ ଗୋଟି ଗ୍ରାମ ପଞ୍ଚାୟତର ୧୩୨ ଗ୍ରାମ ଓ ଏସଡିଏ ଚନ୍ଦ୍ରଗିରି ୩ ଗୋଟି ଗ୍ରାମ ପଞ୍ଚାୟତର ୮୦ ଗ୍ରାମରେ ସ୍ୱତନ୍ତ୍ର ଭାବେ ସଚେତନତା କରାଯିବା । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀପ କୁମାର ବେହେରା, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ସମେତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।