ଆଖି ବୁଜିଲେ ଥାନା ସମ୍ମୁଖରେ ଆତ୍ମାହୁତି କରିଥିବା ମହିଳା…

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : ମାହାଙ୍ଗା ଥାନା ସମୁଖରେ ଆତ୍ମାହୁତି କରିଥିବା ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ମୃତ ମହିଳା ଜଣଙ୍କ ହେଉଛି ରଶ୍ମିତା ଦାସ । ଆତ୍ମାହୁତି ଉଦ୍ୟମ ପରେ ରଶ୍ମିତା ଗୁରୁତର ହୋଇ କଟକ ଏସ୍ସିବି ମେଡିକାଲ୍ରେ ଚିକିତ୍ସାଧନ ଥିଲେ । ଡାକ୍ତରୀ ଟିମର ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ଆଜି ସେ ପ୍ରାଣ ହରାଇଛନ୍ତି ।
ସୂଚନା ଯୋଗ୍ୟ, ଗତ ୧୬ ତାରିଖରେ ମାହାଙ୍ଗା ଥାନା ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ରଶ୍ମିତା । ଏକ ଚୋରି ଅଭିଯୋଗରେ ମାହାଙ୍ଗା ଥାନା ପୁଲିସ୍ ରଶ୍ମିତାଙ୍କ ସ୍ବାମୀ ଶଙ୍କର ଦାସଙ୍କୁ ଗିରଫ କରିଥିଲା । ପୁଲିସ୍ ଶଙ୍କରଙ୍କ ବିରୋଧରେ ମିଛ ମାମଲା ଦାୟର କରିଥିବା ଅଭିଯୋଗ ନେଇ ଥାନାକୁ ଆସିଥିଲେ ରଶ୍ମିତା । ଏହି ସମୟରେ ସେ ପୁଲିସ୍ ନିକଟରେ ସ୍ବାମୀକୁ ଛାଡି ଦେବାକୁ ବହୁ ଅନୁରୋଧ କରିଥିଲେ । ଜବାବରେ ପୁଲିସ୍ ରଶ୍ମିତାଙ୍କୁ କୁଆଡେ ବହୁ ଗାଳିଗୁଲଜ କରିବା ସହିତ ତାଙ୍କ ପର୍ତି ଅପଶବ୍ଦ ବ୍ୟବହାର କରିଥିଲେ । ଏଥିରେ ମର୍ମାହାତ ହୋଇ ରଶ୍ମିତା ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଯାହାଫଳରେ ତାଙ୍କ ଶରୀର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମାହାଙ୍ଗା ମେଡିକାଲ ଏବଂ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ୬ ଦିନ ଧରି ଚିକିତ୍ସିତ ହେଉଥିଲେ ରଶ୍ମିତା । ମାତ୍ର ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।