ବିଭାଜନ ବିଭୀଷିକା ସ୍ମୃତି ଦିବସ ଉଦଯାପିତ…

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ ସ୍ୱାଇଁ) : ଭାରତ ବର୍ଷ ସ୍ୱାଧୀନତା ପ୍ରାପ୍ତିର ଅବୈହିତ ତଥା ୧୯୪୭ ମସିହା ପୂର୍ବରୁ ବିଭାଜିତ ହୋଇ ପାକିସ୍ତାନ ଜନ୍ମ ନେଲା । ତେବେ ସେହି ସମୟରେ ଲକ୍ଷ ଲକ୍ଷ ଭାରତୀୟ ନାଗରିକଙ୍କୁ ଅକଥନୀୟ ଦୁର୍ଦଶା ଭୋଗ କରିବାକୁ ପଡିଥିଲା । ଏପରିକି ବହୁ ମହାମନିଷମାନଙ୍କୁ ହତ୍ୟା, ଗୁଳି ରକ୍ତର ବିଭୀଷିକା ଓ ଫାଶୀ ଖୁଣ୍ଟରେ ଝୁଲାଇବାକୁ କ୍ଷମତା ଲିପ୍ସୁ ବ୍ରିଟିଶ ସରକାର ଭୁଲିନଥିଲା । ସେହି ମର୍ମନ୍ତୁଦ ଘଟଣାକୁ ମନେପକାଇ ବଳିଦାନ ଦେଇଥିବା ଶହୀଦ ମାନଙ୍କ କରୁଣ ସ୍ମୃତିଚାରଣ କରିବା ପାଇଁ କେନ୍ଦ୍ର ସରକାର ଅଗଷ୍ଟ ୧୪ତାରିଖକୁ ବିଭାଜନ ବିଭୀଜିକା ସ୍ମୃତି ଦିବସ ରୂପେ ପାଳନ କରି ଆସୁଛନ୍ତି । ଏହାସହ ଆଗାମୀ ଯୁବପିଢିଙ୍କୁ ସ୍ୱାଧୀନତାର ମହତ୍ୱ ସମ୍ପର୍କରେ ଅବଗତ କରାଇଛନ୍ତି ।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭୁବନେଶ୍ୱର ଶାଖା ପକ୍ଷରୁ ଦୀର୍ଘ ୨ଦିନ ଧରି ନନ୍ଦିଘୋଷ ଭବନରେ ତତ୍କାଳୀନ ବିଭୀଷିକା ଫଟୋଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏଥିରେ ମାନ୍ୟବର ରାଜ୍ୟ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କାର୍ଯ୍ୟକ୍ରମକୁ ଉଦଘାଟନ କରି ବିଗତ ଦିବସର ମୂଲ୍ୟବୋଧ ଆଗାମୀ ସୂର୍ଯ୍ୟ ତଥା ଯୁବପିଢିଙ୍କୁ ସହାୟକ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ମଲ୍ଲିକ ଓ ମୁଖ୍ୟବକ୍ତା ଭାବେ ତହସିଲଦାର ନିବେଦିତା ପରିଡା ଯୋଗଦେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଆଇଏମସି ତଥା ସିଫା ସଦସ୍ୟ ବିଶ୍ୱଜିତ ସ୍ୱାଇଁ, କେନ୍ଦ୍ର ସୂଚନା ଓ ପ୍ରସାରଣ ଅଧିକାରୀ ସସ୍ମିତା ପାଇକରାୟ ଯୋଗଦେଇ ଥିଲେ । ଅନ୍ୟତମ କେନ୍ଦ୍ର ସଂଚାର ମନ୍ତ୍ରଣାଳୟ ପ୍ରୋଗ୍ରାମ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା ମଞ୍ଚ ପରିଚାଳନା କରିଥିଲେ ।
ଏହି ଅବସରରେ ଅଂଚଳର ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦାୟାଦମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପତିତପାବନ ହୋତାଙ୍କ ଦାୟାଦ ଗୁଣନିଧି ହୋତା, ସ୍ୱର୍ଗତ ବଳଭଦ୍ର ସାହୁଙ୍କ ପକ୍ଷରୁ ସୁପୁତ୍ର ହରିବନ୍ଧୁ ସାହୁ, ସଂଗ୍ରାମୀ ସ୍ୱର୍ଗତ ଚକ୍ରଧର ମହାପାତ୍ରଙ୍କ ସୁପୁତ୍ର ବୈକୁଣ୍ଠ ମହାପାତ୍ର ଓ ସ୍ୱର୍ଗତ ନୀଳମଣି ମିଶ୍ରଙ୍କ ଦାୟାଦ ସୁପୁତ୍ର ଶ୍ରୀବତ୍ସ ଷଢଙ୍ଗୀଙ୍କୁ ଉପଢୌକନ ଦେଇ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅଂଚଳର ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭାଜନ ବିଭୀଷିକା ସମ୍ପର୍କରେ ବକ୍ତୃତା ପ୍ରତିଯୋଗିତା ସହ ଅନୁରୂପ ଭାବେ ମହିଳାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା । ମଞ୍ଚରେ ମନ୍ତ୍ରାଳୟ ପକ୍ଷରୁ ଦେଶପ୍ରେମ ସମ୍ପର୍କିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ । ଶେଷରେ ଶ୍ରୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।