ମମତାଙ୍କୁ ଜେକଲ ଏବଂ ହାଇଡଙ୍କ ସହ ତୁଳନା କଲେ ରାଜ୍ୟପାଳ…

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥାବାର୍ତ୍ତାକୁ ହାସ୍ୟାସ୍ପଦ କହିଛନ୍ତି ରାଜ୍ୟପାଳ ସିଭି ଆନନ୍ଦ ବୋଷ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜେକଲ ଏବଂ ହାଇଡଙ୍କ ଭଳି ବ୍ୟବହାର କରୁଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି ।
କୋଲକାତାର ଏହି ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ ଧର୍ମଘଟ ଜାରି ରହିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଦୋଳନକାରୀଙ୍କ ସହ ମିଶି ରାଲି କରିବା ସହ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଅନୁରୋଧ କରିଛନ୍ତି । ଏ ନେଇ ସେ ଆନ୍ଦୋଳନକାରୀଙ୍କ ସହ ମିଶି ରାଜ୍ୟପାଳଙ୍କୁ ଭେଟି ଘଟଣା ବାବଦରେ ଆଲୋଚନା କରିଛନ୍ତି । ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ରାଜ୍ୟପାଳ କହିଛନ୍ତି, “ମୁଖ୍ୟମନ୍ତ୍ରୀ କହୁଛନ୍ତି ପ୍ରଥମେ ଉକ୍ତ ବ୍ୟକ୍ତିଙ୍କୁ ଫାଶୀରେ ଝୁଲାଇ ଦିଅ, ତା ପରେ ବିଚାର କର । ଏହା ରୋମ ସମ୍ରାଟଙ୍କ ପରି ବିଚାର ପ୍ରକ୍ରିୟା ଭଳି ପ୍ରତୀତ ହେଉଥିବା ରାଜ୍ୟପାଳ କହିଛନ୍ତି ।

ଆରଜି କର ହସ୍ପିଟାଲରେ ଘଟିଥିବା ଘଟଣା ପରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଏକ ଲମ୍ବା ଚିଠି ଲେଖିବା ସହ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ସମ୍ବିଧାନର ଧାରା ୧୬୭ ଅନୁଯାୟୀ ତାଙ୍କଠାରୁ ରିପୋର୍ଟ ମାଗିଛି । ବଡ଼ କଥା ହେଲା, ଗତ ୫ ବର୍ଷ ମଧ୍ୟରେ ରାଜ୍ୟପାଳ ୩୦ଟି ଚିଠି ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛି, ମାତ୍ର ତାର କୌଣସି ଉତ୍ତର ଆସି ନ ଥିବା ସେ କ୍ଷୋଭର ସହ କହିଛନ୍ତି ।