ଆଗାମୀ ୨୪ ଘଣ୍ଟାରେ ପ୍ରବଳ ଛେଚିବ ବର୍ଷା !

ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଏବଂ ତତସଲଗ୍ନ ବାଂଲାଦେଶ ଉପକୂଳ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇପାରେ । ଏହି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି । ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ଓ ଗୋଟିଏ ଦୁଇଟି ସ୍ଥାନରେ ୨୦ ସେଣ୍ଟିମିଟରୁ ଅଧିକ ବର୍ଷା ହୋଇପାରେ । ଏ ନେଇ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହିସବୁ ଜିଲ୍ଲାର ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।