ସଂଘ ଟଙ୍କା ନେଇ ପ୍ରେମିକ ସହ ସ୍ତ୍ରୀ ଫେରାର୍, ଥାନାରେ ମାମଲା ରୁଜ୍ଜୁ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ସଂଘ ଟଙ୍କା ନେଇ ପ୍ରେମିକ ସହ ସ୍ତ୍ରୀ ଫେରାର୍ । ସେପଟେ ଫେରାର୍ ମହିଳାଙ୍କ ସ୍ୱାମୀ ସଂଘ ପଇସାକୁ ଭରଣା କରନ୍ତୁ ବୋଲି ମହିଳା ଗୋଷ୍ଠୀଙ୍କ ଦାବି । ଏଥିରେ ଅରାଜି ହେବାରୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା ଗୋଷ୍ଠୀ । ଏହିଭଳି ଘଟଣା ଘଟିଛି ହିନ୍ଦୋଳ ଥାନା ବାଉଁଶପୋଖରୀ ପଞ୍ଚାୟତ ଅନ୍ତର୍ଗତ ନୁଆକୋଟ ଡିହସାହି ଗ୍ରାମରେ । ସରକାରଙ୍କ ମହିଳା ସ୍ୱାବଲମ୍ବୀ ନୀତିର ଅପବ୍ୟବହାର । ଗାଁ ଗହଳିର ମହିଳାମାନଙ୍କୁ ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବାର ଲକ୍ଷ ରଖି ତତ୍କାଳୀନ ରାଜ୍ୟ ସରକାର ବିଭିନ୍ନ ସଂଘ ଗଠନ କରି ମହିଳାମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଆସୁଛନ୍ତି । ହେଲେ ସଂଘର ଜନୈକ ମହିଳା ସମ୍ପାଦିକା ସଂଘର ୫୦ ହଜାର ଟଙ୍କା ଋଣ ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି । ଏପରିକି ନିଜର ମାନବିକତାକୁ ଭୁଲି ଆତ୍ମସ୍ୱାର୍ଥ ହାସଲ ଲାଳସାରେ ନିଜ ଜନ୍ମିତ ୫ ବର୍ଷର ଶିଶୁ ପୁତ୍ର ଏବଂ ସ୍ୱାମୀକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ସଂଘର ସଭାପତିଙ୍କ ସମେତ ଅନ୍ୟାନ୍ୟ ସଦସ୍ୟାମାନେ ଥାନାର ଦ୍ୱାରସ୍ଥ ହେବା ସହ ସଂପୃକ୍ତ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।
ହିନ୍ଦୋଳ ଥାନା ବାଉଁଶପୋଖରୀ ପଞ୍ଚାୟତ ଅନ୍ତର୍ଗତ ନୁଆକୋଟ ଡିହସାହି ଗ୍ରାମରେ ରହିଛି ଓମ୍ ସାଇ ରାମ୍ ମହିଳା ସ୍ୱୟଂ ସହାୟିକା ସଂଘ । ଏହି ସଂଘରେ ଗ୍ରାମର ଅଜୟ ବେହେରାଙ୍କ ସ୍ତ୍ରୀ ବିଦ୍ୟୁଲତା ବେହେରା ସମ୍ପାଦିକା ଦାୟିତ୍ୱ ନେଇଥିଲେ । ଅଜୟ ବାହାରେ ରହି ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଏହାର ସୁଯୋଗରେ ବିଦ୍ୟୁଲତା ସେହି ସାହିର ଜନୈକ ଯୁବକଙ୍କ ସହ ପ୍ରେମରେ ଉବୁଡୁବୁ ହେଉଥିଲେ । ଏପରିକି ବିଦ୍ୟୁଲତା କୁଆଡେ ଉକ୍ତ ଯୁବକଙ୍କୁ ଖୁସି କରିବା ପାଇଁ ସଂଘର ଜମା ଅର୍ଥକୁ ଖର୍ଚ୍ଚ କରୁଥିବା ନେଇ ଚର୍ଚ୍ଚା ହେବା ପରେ ସଂଘର ସମସ୍ତ ସଭ୍ୟା ଜମା ଅର୍ଥ, ସୁଧ ଏବଂ ବ୍ୟାଙ୍କ୍ କିସ୍ତି ବାବଦରେ ସମ୍ପାଦିକା ବିଦ୍ୟୁଲତାଙ୍କୁ ହିସାବ ମାଗିଥିଲେ । ଏଥିରେ ଉତ୍ତକ୍ଷିପ୍ତ ହୋଇ ବିଦ୍ୟୁଲତା ସଂଘ ସଭ୍ୟାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ “ତମେ ମୋର କ’ଣ କରିପାରିବ କର” ବୋଲି କହିଥିଲେ । ପର ମୂହୂର୍ତ୍ତରେ ବିଦୁ୍ୟଲତା ନିଜ ପାଖରେ ଥିବା ସଂଘର ୫୦ ହଜାର ଟଙ୍କା ନେଇ ରାତାରାତି ଫେରାର୍ ହୋଇଯାଇଥିଲେ । ଏ ନେଇ ସଂଘ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅପରପକ୍ଷେ ଘଟଣାର ସମାଧାନ ପାଇଁ ସଦସ୍ୟାମାନେ ସମ୍ପାଦିକାଙ୍କ ସ୍ୱାମୀ ଅଜୟଙ୍କୁ ଅର୍ଥ ପରିଶୋଧ କରିବାକୁ କହିଥିଲେ । ମାତ୍ର ସେ ନିଜେ ପ୍ରତାରିତ ହେବା ସହ ଅପମାନ ପାଇଥିବା କହିଥିଲେ । ତେଣୁ ଫେରାର ସମ୍ପାଦିକା ବିଦ୍ୟୁଲତାଙ୍କ ବିରୋଧରେ ଥାନା ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବକୁ ଦାବି ହୋଇଛି । ଏହାା ସହିତ ହଡପ ଅର୍ଥକୁ ଆଦାୟ କରିବା ଦିଗରେ ହିନେ୍ଦାଳ ଥାନା ସହଯୋଗ କରିବାକୁ ସଂଘର ସଭାପତି ବବିତା ସାହୁ, ସସ୍ମିତା ବେହେରା, ମଞ୍ଜୁଲତା ପ୍ରଧାନ, ମନୋରମା ସାହୁ, ଲକ୍ଷ୍ମୀପ୍ରିୟା ବେହେରା, ଝୁନୁ ବେହେରା, ନର୍ମଦା ବେହେରା ପ୍ରମୁଖ ଲିଖିତ ଭାବେ ଜଣାଇଛନ୍ତି ।