ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କ ସ୍ଥାନ ନେବ କିଏ ?

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଧାନସଭା ସଚିବାଳୟ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସମେତ ମୋଟ୍ ୯ ଟି ରାଜ୍ୟର ୧୨ ଟି ଆସନରେ ହେବ ଉପନିର୍ବାଚନ । ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ । ୨୨ ତାରିଖରେ ଯାଞ୍ଚ କରାଯାଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ୨୭ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।
ଓଡ଼ିଶାର ଏହି ପଦବୀ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଓଡିଶାର ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କ ଇସ୍ତଫା ପରେ ସେହି ଆସନ ଖାଲି ପଡ଼ିଛି । ମମତାଙ୍କ ସ୍ଥାନରେ କିଏ ଦିଲ୍ଲୀ ଯିବେ ତାହା ବିଜେପିର ଘୋଷଣାକୁ ଅପେକ୍ଷା ରହିଛି । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ଆସନଟି ବିଜେପି ଖାତାକୁ ଯିବା ନେଇ ଆକଳନ କରାଯାଉଛି । ଏହି ରେସରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନାଁ ଆଗରେ ରହିଛି ।