ମହିଳାଙ୍କୁ ଦୁଷ୍କର୍ମ । SCBରେ ଲଜ୍ଜା !

ଏସସିବି କାର୍ଡିଓଲୋଜି ବିଭାଗରେ ଦୁଇ ମହିଳା ରୋଗୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ । କଟକ ଏସସିବି ମେଡିକାଲର ହୃଦୟ ରୋଗ ବିଭାଗର ଜଣେ ହୃଦୟରୋଗ ବିଶେଷଜ୍ଞ ଡାକ୍ତରଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏ ନେଇ ପୀଡ଼ିତାଙ୍କ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ କମିଶନରେଟ୍ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
ସେପଟେ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗରେ ରୋଗୀଙ୍କ ସମ୍ପର୍କୀୟ ତାଙ୍କ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଏଥିରେ ଡାକ୍ତର ଗୁରୁତର ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।
ସୂଚନା ଅନୁସାରେ, ଗତ ଶୁକ୍ରବାର ୨ଜଣ ମହିଳା ରୋଗୀ କଟକ ଏସସିବିର ହୃଦୟ ରୋଗ ବିଭାଗକୁ ଆସିଥିଲେ । ବିଶେଷଜ୍ଞ ଡାକ୍ତର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଇସିଜି କରିବା ପାଇଁ ସମ୍ପୃକ୍ତ ଡାକ୍ତର ପରାମର୍ଶ ଦେଇଥିଲେ । ସେହିଦିନ ଇସିଜି ହୋଇନପାରିବାରୁ ୨ ମହିଳା ଫେରି ଯାଇଥିଲେ । ଇସିଜି କରିବା ପାଇଁ ରବିବାର ଆସିଥିଲେ । ତେବେ ଇସିଜି ବାହାନାରେ ଡାକ୍ତର ୨ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।