ଶିଶୁ ଶ୍ରମିକ ଏବଂ ଶିଶୁ ଭିକ୍ଷୁକ ମୁକ୍ତ ହେବ ଗଜପତି ଜିଲ୍ଲା…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଜରି ଏବଂ ବୋତଲ ଗୋଟାଇ ପେଟ ପୋଷୁଥିବା ଶିଶୁଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡି ସହରକୁ କିପରି ଶିଶୁ ଶ୍ରମିକ ଏବଂ ଶିଶୁ ଭିକ୍ଷୁକ ମୁକ୍ତ କରାଯିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି । ଏ ନେଇ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ଦଳ, ଗତ କିଛି ଦିନ ହେଲା ସହରର ପ୍ରତି କୋଣ ଅନୁକୋଣରେ ଅନୁଧ୍ୟାନ କରୁଛନ୍ତି । ଏହି ସମୟରେ କଲେଜ ଛକରେ ୩ ଜଣ ଶିଶୁ ଜରି ଏବଂ ବୋତଲ ଗୋଟାଉଥିବା ନଜରକୁ ଆସିଥିଲା । ଏହି ପିଲାମାନେ ତାଙ୍କ ମାଆଙ୍କ ସହ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ପିଲାମାନଙ୍କ ବୟସ ୧୪, ୧୦ ଏବଂ ୮ ବର୍ଷ ରହିଛି । ଏମାନଙ୍କ ମଧ୍ୟରୁ ଦୁଇଜଣ ଝିଅ ଏବଂ ଜଣେ ପୁଅ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ ସମିତି, ଗଜପତିରେ ରଖାଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ପିଲାମାନଙ୍କର ମାଆ ଏବଂ ବାପା ଶିଶୁ ମଙ୍ଗଳ ଆଗରେ ପହଞ୍ଚି ଲିଖିତ ଆକାରରେ ଶିଶୁ ମଙ୍ଗଳ ସମିତିକୁ ଜଣାଇଥିଲେ ଯେ, ଏହିପରି କାର୍ଯ୍ୟରେ ଆଗକୁ ସେମାନେ ଶିଶୁମାନଙ୍କୁ ନିୟୋଜିତ କରିବେ ନାହିଁ । ତାପରେ, ଶିଶୁ ମଙ୍ଗଳ ସମିତି ଶିଶୁମାନଙ୍କୁ ବାପା-ମାଆଙ୍କୁ ହସ୍ତାନ୍ତର କରିଛନ୍ତି । ଏହାସହ ଶିଶୁମାନଙ୍କ ଭବିଷ୍ୟତ ଗଠନରେ ସେମାନଙ୍କ ଶିକ୍ଷାକୁ ଗୁରୁତ୍ବ ଦିଆଯିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।