ଗଜପତିର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ବିଜୟ କୁମାର ଦାଶ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ବିଜୟ କୁମାର ଦାଶ । ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଏ ନେଇ ଆଜି ଜିଲ୍ଲା କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିବା ସହ ସରକାରୀ କାର୍ଯ୍ୟରେ ସ୍ଵଚ୍ଛତା ଓ ସମୟାନୁବର୍ତ୍ତିତା ଅବଲମ୍ବନ ସକାଶେ ଉପସ୍ଥିତ ପଦାଧିକାରୀଙ୍କୁ ପରାମର୍ଶ ଦେଇଥିଲେ ନୂଆ ଜିଲ୍ଲାପାଳ । ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ସହ ହିତାଧିକାରୀମାନଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ଉପରେ ନୂତନ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ । ଗଜପତି ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ ଯୋଜନାକୁ ଗୁରୁତ୍ଵ ଦେବା ସହିତ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାମକୁ ତୁରନ୍ତ ଶେଷ କରାଯିବ ଓ ଗଜପତି ଜିଲ୍ଲାର ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ତାଙ୍କର ପ୍ରାଥମିକତା ହେବ ବୋଲି ନୂତନ ଜିଲ୍ଲାପାଳ କହିଛନ୍ତି ।
ଶ୍ରୀଯୁକ୍ତ ଦାଶ ପୂର୍ବରୁ କଟକ ମହାନଗର ନିଗମ ଆୟୁକ୍ତ ଭାବରେ କାର୍ଯ୍ୟ ନିର୍ବାହ କରୁଥିଲେ । ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁନାନିଧି ନାୟକ, ଉପ ଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ ।